ମିରଟ: ମିରଟର ସୌରଭ ହତ୍ୟାକାଣ୍ଡର ଲୋମଟାଙ୍କୁରା ଘଟଣା ଥମି ନଥିବା ବେଳେ ଏମିତ ଏକ ହୃଦୟବିଦାରକ ଘଟଣା ପୁଣିଥରେ ଉକ୍ତ ସହରରୁ ସାମ୍ନାକୁ ଆସିଛି।

Advertisment

ସୂଚନାଯୋଗ୍ୟ, ବହସୁମା ଥାନା ଅଞ୍ଚଳସ୍ଥ ଅକବରପୁର ସାଦାତ ଗ୍ରାମର ବାସିନ୍ଦା ଅମିତ ଜଣେ ଶ୍ରମିକ ଭାବେ କାମ କରୁଥିଲେ। ୮ବର୍ଷ ପୂର୍ବେ ତାଙ୍କର ବିବାହ ରବିତା ନାମକ ଜଣେ ମହିଳାଙ୍କ ସହିତ ହୋଇଥିଲା। ବିବାହର ୮ବର୍ଷ ମଧ୍ୟରେ ଅମିତ ଓ ରବିତାଙ୍କ ତିନିଟି ସନ୍ତାନ ଅଛନ୍ତି। 

କିଛିବର୍ଷ ହେବ ରବିତା ସାଦାତ ଗ୍ରାମରେ ରହୁଥିବା ଅମିତଙ୍କ ସାଙ୍ଗଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏକଥା ଅମିତ ଜାଣିବା ପରେ କଡ଼ା ବିରୋଧ କରିଥିଲେ। ରବିତା ସ୍ବାମୀଙ୍କ ବିରୋଧ ପରେ ପ୍ରେମିକ ସହ ସମ୍ପର୍କ କାଟିବା ବଦଳରେ ସ୍ବାମୀଙ୍କର ହିଁ ଜୀବନ ନେଇ ଯାଇଥିଲେ।

ଏହି ଘଟଣାରେ ନିଜକୁ ବଞ୍ଚାଇବା ପାଇଁ ରବିତା ତାଙ୍କ ପ୍ରେମିକଙ୍କ ସହଯୋଗରେ ୧୦୦୦ଟଙ୍କା ଦେଇ ଏକ ସାପ କିଣିଥିଲେ। ଉକ୍ତ ସାପକୁ ସେ ସ୍ବାମୀଙ୍କ ମୃତଦେହ ନିକଟରେ ରଖି ଭୋଭୋ ହୋଇ କାନ୍ଦିଥିଲେ। ରବିତାଙ୍କ କାନ୍ଦ ଶୁଣି ପରିବାରଲୋକ ଘଟଣାସ୍ଥଳକୁ ଦୌଡ଼ି ଆସି ଦେଖନ୍ତି ତ ଅମିତଙ୍କ ମୃତଦେହ ନିକଟରେ ଏକ ସାପ ଅଛି। ସେମାନେ ପୁଅକୁ ସର୍ପ ଦଂଶନ କରିଛି ଭାବି ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଅମିତଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।

ବ୍ୟବଚ୍ଛେଦ ରିପୋର୍ଟରେ ଅମିତଙ୍କ ମୃତ୍ୟୁ ଗଳା ଚିପି ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ରିପୋର୍ଟ ପାଇବା ପରେ ପରିବାରଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା। କିଏ ଅମିତଙ୍କୁ ହତ୍ୟା କରିଥାଇପାରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। 

ଏହାପରେ ପୁଲିସ ରବିତାଙ୍କୁ ସନ୍ଦେହ କରି ପଚରାଉଚରା କରିଥିଲା। ପଚରାଉଚରା ପରେ ରବିତା ସ୍ବାମୀଙ୍କୁ ହତ୍ୟା କରିଥିବା ଦୋଷକୁ ପୁଲିସ ସାମ୍ନାରେ ସ୍ବୀକାର କରିଥିଲେ। ଏହି ଘଟଣାରେ ପୁଲିସ ରବିତା ଓ ତାଙ୍କ ପ୍ରେମିକ ଉଭୟଙ୍କୁ ଗିରଫ କରି ନେଇଛି।