ନୂଆଦିଲ୍ଲୀ: ଦେଶରେ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା ସୌରଭଙ୍କ ହତ୍ୟା ମାମଲା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିରଟରେ ପତ୍ନୀ ମୁସ୍କାନ ରସ୍ତୋଗୀ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହିତ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରି ଶରୀରକୁ ୧୫ ଖଣ୍ଡ କରି କାଟି ଏକ ଡ୍ରମରେ ରଖାଯାଇ ସିମେଣ୍ଟରେ ସିଲ୍ କରି ଦେଇଥିଲେ।ପୁଲିସ ସୌରଭଙ୍କ ହତ୍ୟା ଘଟଣାରେ ମୁସ୍କାନ ଓ ସାହିଲଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି।
ଜେଲରେ ମୁସ୍କାନ ଏବଂ ସାହିଲ ଜେଲରଙ୍କ ସମ୍ମୁଖରେ ଗୋଟିଏ ପରେ ଗୋଟିଏ ନୂତନ ଦାବି କରୁଛନ୍ତି। ଜେଲ ବାରାକରେ ଟିଭିକୁ କ୍ରମାଗତ ଭାବରେ ମୁସ୍କାନ ଏବଂ ସାହିଲ ଚାହିଁ ରହିଛନ୍ତି।
ଜେଲରେ ସାହିଲ ନିଶା ପାଇଁ ଦାବି କରୁଥିବା ବେଳେ ମୁସ୍କାନ ତାଙ୍କ ଝିଅ ପିହୁକୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ମୁସ୍କାନଙ୍କ ମା’ କବିତା କାନ୍ଦିକାନ୍ଦି କହିଛନ୍ତି, ‘ମୁଁ ନାତୁଣୀ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହିଁ। ସେ ଯେତିକି ସମୟ ଶୋଉଛୁ ସେତିକି ସମୟ ଚୁପ। ଉଠିଲା ମାନେ ତାର ବାପା ସୌରଭ ଓ ମା’ ମୁସ୍କାନ କଥା ପଚାରୁଛି।
ମୁଁ ଜାଣିନି ପିହୁ ଏହି ଘଟଣା ସମ୍ପର୍କରେ କ’ଣ ଜାଣିଛି କ’ଣ ଜାଣି ନାହିଁ। ସେ ମୋତେ ହତ୍ୟା କ’ଣ ବୋଲି ବାରମ୍ବାର ପଚାରି ଚାଲିଛି। ନିଜେନିଜେ କହୁଛି ବାପା ଭଗବାନଙ୍କ ପାଖକୁ ଚାଲି ଯାଇଛନ୍ତି। ମା’ଙ୍କୁ ପୁଲିସ ଅଙ୍କଲ ନେଇ ଯାଇଛନ୍ତି।’