‘ଡିନର୍’ ଖାଇ ଫେରିବା ବେଳେ ଉତ୍ତ୍ୟକ୍ତ ଜନତାଙ୍କ ହାବୁଡ଼ରେ ପଡ଼ିଲେ ମୁସଲ୍ମାନ୍ ଝିଅ ଓ ହିନ୍ଦୁ ପୁଅ; ଛୁରାମାଡ଼ରେ ଆହତ ହେଲେ ୨ ଉଦ୍ଧାରକାରୀ
ଇନ୍ଦୋର୍: ମଧ୍ୟପ୍ରଦେଶର ଇନ୍ଦୋରରେ ଦଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରୁ ଜଣେ ମୁସଲ୍ମାନ୍ ଯୁବତୀ ଓ ହିନ୍ଦୁ ଯୁବକଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ୨ଜଣ ବ୍ୟକ୍ତି ଛୁରାମାଡ଼ରେ ଆହତ ହୋଇଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
ଗୁରୁବାର ରାତିରେ ଦୁହେଁ ‘ଡିନର୍’ (ରାତ୍ର ଭୋଜନ) ଖାଇ ଇନ୍ଦୋର୍ର ଏକ ହୋଟେଲ୍ରୁ ବାହାରକୁ ଆସୁଥିବା ବେଳେ ପ୍ରାୟ ୨୦ଜଣ ଉତ୍ତ୍ୟକ୍ତ ଲୋକ ସେମାନଙ୍କୁ ଠେଲାପେଲା କରିବା ସହିତ ଧମକଚମକ ଦେଇଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଉତ୍ତ୍ୟକ୍ତ ଲୋକମାନଙ୍କ ମଧ୍ୟରୁ ୨ଜଣଙ୍କୁ ପୁଲିସ ଗିରଫ କରିଛି। ଦୁହିଁଙ୍କର ବୟସ ୨୩ରୁ ୨୬ ବର୍ଷ ମଧ୍ୟରେ ହେବ।
ଅତିରିକ୍ତ ଡେପୁଟି ପୁଲିସ କମିସନର୍ ରାଜେଶ ରଘୁବଂଶୀ କହିଛନ୍ତି, ଖାଇ ସାରି ସେ ଯୁବକ ଓ ଯୁବତୀ ହୋଟେଲ୍ରୁ ବାହାରକୁ ଆସିବା ପରେ ଉତ୍ତ୍ୟକ୍ତ ଲୋକେ ସେମାନଙ୍କ ପଛେ ପଛେ ଆସି ଘେରିଯିବା ସହିତ ଅନ୍ୟ ଧର୍ମର ଯୁବକଙ୍କ ସହିତ କାହିଁକି ଆସିଛ ବୋଲି ସେ ଯୁବତୀଙ୍କୁ ପଚାରିଥିଲେ।

ନିଜ ବାପାମାଆଙ୍କୁ କହି ସେ ଉକ୍ତ ଯୁବକଙ୍କ ସହିତ ‘ଡିନର୍’ ଖାଇବାକୁ ଆସିଛି ବୋଲି ଯୁବତୀଜଣକ ଲୋକମାନଙ୍କୁ କହିଥିଲେ। ଏହାଛଡ଼ା, ସେମାନଙ୍କ ଦୁର୍ବ୍ୟବହାର ପ୍ରତି ମଧ୍ୟ ଯୁବତୀଜଣକ ଆପତ୍ତି କରିଥିଲେ। ଏହି ସମୟରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ୨ଜଣ ଲୋକ ଆସି ପହଞ୍ଚିଥିଲେ। କିନ୍ତୁ, ଉତ୍ତ୍ୟକ୍ତ ଲୋକମାନଙ୍କ ମଧ୍ୟରୁ କେହି ଜଣେ ଛୁରି ଭୁସି ଦେବାରୁ ଦୁଇ ଉଦ୍ଧାରକାରୀ ଆହତ ହୋଇଛନ୍ତି ବୋଲି ରାଜେଶ ରଘୁବଂଶୀ କହିଛନ୍ତି।
ଏହି ଘଟଣାରେ ‘ଆଇପିସି’ ଧାରା ୩୦୭ (ହତ୍ୟା ଉଦ୍ୟମ) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଉତ୍ତ୍ୟକ୍ତ ଲୋକମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ତୁକୋଗଞ୍ଜ ଥାନା ଭାରପ୍ରାପ୍ତ ଅଧିକାରୀ କମଳେଶ ଶର୍ମା କହିଛନ୍ତି।