ଜୟପୁର: କବୀର ଶର୍ମା ବୋଲି ପରିଚୟ ଦେଇ ଜଣେ ହିନ୍ଦୁ ମହିଳାଙ୍କୁ ବାହା ହୋଇ ବିପୁଳ ଯୌତୁକ ନେବା ପରେ ସସ୍ତ୍ରୀକ ନିରୁଦ୍ଦେଶ ହୋଇଯାଇଥିବା ଇମ୍ରାନ୍ ଭାଟିଙ୍କୁ ଖୋଜୁଛି ରାଜସ୍ଥାନ ପୁଲିସ।
ପୂର୍ବରୁ ବିବାହିତ ଏବଂ ତିନୋଟି ସନ୍ତାନର ଜନକ ଇମ୍ରାନ୍ ଭାଟିଙ୍କ ନାମରେ ଶିକରରେ ଗୋଟାଏ ମାମଲା ରୁଜୁ କରାଯାଇଛି।
ମହିଳାଙ୍କ ବାପା ପୁଲିସକୁ କହିଛନ୍ତି: ଅବିବାହିତ ବ୍ରାହ୍ମଣ ବୋଲି ପରିଚୟ ଦେଇ ମୋ ଝିଅକୁ ବାହା ହେବା ପାଇଁ ଭାଟି ପ୍ରସ୍ତାବ ଦେଇଥିଲେ। ପରେ ସେ ବ୍ରାହ୍ମଣ ବୋଲାଉଥିବା ଜାଲ୍ ପିତାମାତା ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତରେ ମୋ ଝିଅକୁ ବାହା ହୋଇଥିଲା।
ମେ ୧୩ ତାରିଖ ଦିନ ଜୟପୁରରେ ବାହାଘର ହୋଇଥିଲା। ପୂର୍ବରୁ ହୋଇଥିବା ନିର୍ବନ୍ଧକୁ ତା’ର ଜାଲ୍ ପିତାମାତା ମଧ୍ୟ କପାଳରେ ତିଳକ ଧାରଣ କରି ଆସିଥିଲେ।
ସେମାନେ ତାଙ୍କ ଗୋତ୍ର ମଧ୍ୟ କହିଥିଲେ। ଫଳରେ ମୁଁ ମେ ୧୩ ତାରିଖ ଦିନ ବାହାଘର କରାଇଲି।
ବିବାହର କିଛି ଦିନ ପରେ ଲୋକଟି ମୋ ଝିଅକୁ ଅଧିକ ୫ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ କହି ଶିକରକୁ ଫେରାଇ ଦେଲେ। ଜଣେ ବନ୍ଧୁଙ୍କ ଠାରୁ ମୁଁ କୌଣସିମତେ ୨. ୫ ଲକ୍ଷ ଟଙ୍କ କରଜ ଆଣିଲି। ତା’ପରେ ମେ ୧୭ ତାରିଖ ଠାରୁ ମୋ ଝିଅ ନିରୁଦ୍ଦେଶ ହୋଇ ଯାଇଛି। ଆମ ଘରେ ଥିବା ସୁନା ମଧ୍ୟ ନାହିଁ।
ବାହାଘର ଫଟୋ ନେଇ ବାପା ଜୟପୁର ଯିବା ପରେ ବାସ୍ତବତା ଜାଣି ସ୍ତବ୍ଧ ହୋଇଯାଇଥିଲେ।
ସେ ଜାଣିଲେ ଲୋକଟି କବୀର ଶର୍ମା ନୁହେଁ, ଇମ୍ରାନ୍ ଭାଟି। ବିବାହିତ ଏବଂ ଏକଦା ଗୋଟାଏ ମଟର କମ୍ପାନିରେ ଚାକିରି କରୁଥିଲେ।
ଉଭୟଙ୍କୁ ଠାବ କରିବାକୁ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
ଏକମାତ୍ର ଝିଅ ହୋଇଥିବାରୁ ବାପା ନଗଦ ୧୧ଲକ୍ଷ ଟଙ୍କା, ୫ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଆଦି ଯୌତୁକ ବାବଦରେ ଦେଇଥିଲେ।