ଗୁରୁଗ୍ରାମ: କିଛି ଦିନ ତଳେ ଦିଲ୍ଲୀରେ ଘଟିଥିବା ସାକ୍ଷୀ ହତ୍ୟାକାଣ୍ଡ ପରି ଏକ ଘଟଣା ଏବେ ଗୁରୁଗ୍ରାମରେ ଦେଖିବାକୁ ମିଳିଛି। ସାକ୍ଷୀଙ୍କ ପରି ଗୁରୁଗ୍ରାମରେ ମଧ୍ୟ ଜଣେ ଯୁବତୀଙ୍କୁ ସର୍ବସାଧାରଣରେ ଛୁରୀରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରାଜକୁମାର ନାମକ ଜଣେ ଯୁବକ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଛି।

Advertisment

ସୂଚନାରୁ ଜଣାପଡିଛି ଯେ ଏହି ମାମଲା ଗୁରୁଗ୍ରାମର ପାଲମ ବିହାରର ଅଟେ। ଏଠାରେ ରାଜକୁମାର ନାମକ ଜଣେ ଯୁବକ ପୀଡ଼ିତା ଯୁବତୀଙ୍କୁ ରାସ୍ତାରେ ଧରି ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଘଟଣା ଘଟିବା ବେଳେ ଯୁବତୀଙ୍କ ମାଆ ମଧ୍ୟ ତାଙ୍କ ସହିତ ଥିଲେ। କିନ୍ତୁ ହତ୍ୟା ଅଭିଯୁକ୍ତ ତାହାକୁ ଖାତିର ନକରି ପୀଡ଼ିତାଙ୍କୁ ଆକ୍ରମଣ କରିିଥିଲେ।

ସୂଚନାରୁ ପ୍ରକାଶ ‌ଯେ ୧୯ ବର୍ଷୀୟା ଯୁବତୀ ଜଣକ ତାଙ୍କ ପରିବାର ସହିତ ଗୁରୁଗ୍ରାମରେ ମୁଲ୍ଲେହେଡ଼ା ଗ୍ରାମରେ ରହୁଥିଲେ। ରାଜକୁମାର ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ମଧ୍ୟ ରାଜକୁମାରଙ୍କୁ ବିବାହ କରିବାକୁ ଯୁବତୀ ପ୍ରସ୍ତୁତ ନଥିଲେ। ଏପଟେ ରାଜକୁମାର ତାଙ୍କ ଉପରେ ବାରମ୍ବାର ବିବାହ କରିବାକୁ ଚାପ ପକାଉଥି‌ଲେ। କୌଣସି ମତେ ଯୁବତୀ ଜଣକ ନମାନିବାରୁ ରାଜକୁମାର ରାଗରେ ଆସି ଏପରି କରିଥିବା କୁହାଯାଉଛି।

ତେବେ ହତ୍ୟାକାଣ୍ଡ ବେଳେ କିଛି ଲୋକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଘଟଣାର ଏକ ସିସିଟିଭି ଫୁଟେଜ୍‌ ମଧ୍ୟ ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ଅଭିଯୁକ୍ତ ରାଜକୁମାରଙ୍କୁ ପୁଲିସ ଗିରଫ କରିଛି ଏବଂ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଆରମ୍ଭ ହୋଇଛି।