ଡେରାଡୁନ୍ : ମସୁରୀ ନଗର ନିଗମକୁ ଦାୟୀ କରି ମଙ୍ଗଳବାର ରାତିରେ ମସୁରୀର ଜଣେ ରାସ୍ତାକଡ଼ ବ୍ୟବସାୟୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ଏହି ଘଟଣାର ଭିଡିଓ ବନାଇ ସେ ଫେସ୍ବୁକ୍ରେ ମଧ୍ୟ ଛାଡ଼ିଥିଲେ । ଭିଡିଓ ଭାଇରାଲ ହେବା ପରେ ଏହି ମାମଲାକୁ ନେଇ ଏବେ ଯାଞ୍ଚର ନିର୍ଦ୍ଦେଶ ଦିଆଯାଇଛି । ମସୁରୀର ବ୍ୟବସାୟୀ ସଂଘ ଏଭଳି କାମ କରିଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ ସହରରେ ଥିବା ଦୋକାନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ମୁତାବକ, ଅକ୍ଟୋବର ୧୯ରେ ମଲ୍ ରୋଡ୍ରେ ଥିବା ସମସ୍ତ ରାସ୍ତାକଡ଼ ବ୍ୟବସାୟୀ ଜବରଦଖଲ କରିଥିବା ନେଇ କହିବା ସହ ସେମାନଙ୍କୁ ହଟାଇବା ପାଇଁ ଆଦେଶ ଦେଇଥିଲା ମସୁରୀ ନଗର ନିଗମ ବୋର୍ଡ । ଏ ନେଇ ଏକ ବୈଠକ ରଖାଯାଇଥିବା ବେଳେ ନଗର ନିଗମ ବୋର୍ଡର ଅଧ୍ୟକ୍ଷ ଅନୁଜ ଗୁପ୍ତାଙ୍କ ଉପରକୁ ରାସ୍ତାକଡ଼ର ବ୍ୟବସାୟୀ ଅଙ୍କୁର ଜୋତା ଫିଙ୍ଗିଥିଲେ । ଅଙ୍କୁରଙ୍କ ଏଭଳି ବ୍ୟବହାର ପରେ ଅଧ୍ୟକ୍ଷ ଅନୁଜ ଗୁପ୍ତା ଓ ବ୍ୟବସାୟୀମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କାର୍ଯ୍ୟାନୁଷ୍ଠାନ ଦାବି ଦେଖି ରାଗରେ ଅଙ୍କୁର ଫିନାଇଲ ପିଇ ଦେଇଥିଲେ । ଏହା ସହ ଭିଡିଓ କରି ଅଧ୍ୟକ୍ଷ ଅନୁଜ ଗୁପ୍ତା ତାଙ୍କୁ ମାନସିକ ଚାପ ଦେଇଥିବାର ଅଭିଯୋଗ କରିଥିଲେ । ତେବେ ଅଙ୍କୁରଙ୍କ ଏଭଳି ମିଥ୍ୟା ଆରୋପ ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛି ବ୍ୟବସାୟୀ ସଂଘ ।