ମୁଜାଫର୍‌ନଗର: ଜୀବନର ପାଖାପାଖି ଅଧା ସମୟ କଟିଗଲା ଜେଲ୍‌ର ୪ କାନ୍ଥ ଭିତରେ, ତାହା ପୁଣି ବିନା ଦୋଷରେ। କଥାଟି ପଢ଼ିବାକୁ ଅଡୁଆ ଲାଗୁଥିଲେ ବି ଏକଦମ ସତ। ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ୨୬ ବର୍ଷ ଜେଲ୍‌ରେ ରହିବା ପରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଅଦାଲତ ନିକଟରେ ନି‌ର୍ଦୋଷରେ ଖଲାସ କରିଛନ୍ତି। ଉତ୍ତରପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ରୋହନାର ବାସନ୍ଦା ଏହି ବୃଦ୍ଧ ଜଣକ ହେଉଛନ୍ତି ରାମରତନ। ତାଙ୍କୁ ୧୯୯୬ ମସିହା ନଭେମ୍ବର ୨ ତାରିଖରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ପୁଲିସ୍‌ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା।

Advertisment

ତା’ପରେ ଜନପଦର ଚିଫ୍ ଜୁଡିସିଆଲ୍ ମାଜି‌ଷ୍ଟ୍ରେଟ୍ (ସିଜିଏମ୍‌ ) କୋର୍ଟରେ ରାମରତନଙ୍କ ବିରୋଧରେ ଥିବା ମକଦ୍ଦମାର ଶୁଣାଣି ଚାଲିଲା। ତାରିଖ ପରେ ତାରିଖ ଗଡ଼ିଲା ସିନା, ନ୍ୟାୟ ମିଳିଲା ନାହିଁ। ପ୍ରାୟ ୨୪ ବର୍ଷ ପରେ ସିଜିଏମ୍‌ ମନୋଜ କୁମାର ଯାଦବ ତାଙ୍କୁ ୨୦୨୦ ସେପ୍ଟେମ୍ବର ୯ରେ ତ‌ାଙ୍କୁ ନିର୍ଦୋଷ ଘୋଷଣା କରିଥି‌ଲେ।

ରାମରତନ ଜେଲ୍‌ ଭୋଗୁଥିଲେ ସତ, ପୁଲିସ୍ କିନ୍ତୁ ତାଙ୍କ ବିରୋଧରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗକୁ ନେଇ ଅଦାଲତରେ କୌଣସି ପ୍ରମାଣ ଦେଇ ପାରି ନଥିଲା। ଏହାପରେ ବି ରାମରତନଙ୍କ ସମସ୍ୟା ଦୂର ହୋଇନଥିଲା। ୨୦୨୦ ସେପ୍ଟେମ୍ବର ୯ରେ ତ‌ାଙ୍କୁ  ନିର୍ଦୋଷ ଘୋଷଣା ପରେ ବି ରାଜ୍ୟ ସରକାର ଓ ଜିଲ୍ଲା ଶାସକୀୟ ଅଧିବକ୍ତା ଜିଲ୍ଲା କୋର୍ଟରେ ରାମରତନଙ୍କ ବିରୋଧରେ ଥିବା ମକଦ୍ଦମାର ପୁନଃ ଶୁଣାଣି କରି  ଆହୁରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ନିକଟରେ ଜୁନ୍‌ ୨୭ ତାରିଖରେ ସେ ଜେଲ୍‌ରୁ ସଂପୂର୍ଣ୍ଣ ରୂପେ ମୁକ୍ତ ହୋଇଛନ୍ତି।

ଏହି ପ୍ରକାରେ ସେ ପ୍ରାୟ ୨୬ ବର୍ଷ ପରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଏହା ମଧ୍ୟରେ ତାଙ୍କୁ ଶୁଣାଣି ପାଇଁ ୪୦୦ ତାରିଖ ମିଳିଛି।