ମୁଜାଫରପୁର:ନିକଟରେ ବିହାରର ମୁଜାଫରପୁର ସହରର ମିଥାନପୁରା ଥାନାରେ ଜଣେ ମହିଳା ପହଞ୍ଚି ତାଙ୍କ ଶାଶୁଘର ଘର ଲୋକଙ୍କ ବିରୋଧରେ ଆଶ୍ଚର୍ଯ୍ୟଜନକ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗକାରୀ ଦୀପ୍ତି ପୁଲିସ ନିକଟରେ ଅଭିଯୋଗ କରି କହିଥିଲେ, ‘୨୦୨୧ ମସିହାରେ ମୋର ବାହାଘର ହୋଇଥିଲା। ବାହାଘର ହେବାର କିଛିଦିନ ପରେ ଶାଶୁଘର ଲୋକଙ୍କ ସ୍ବଭାବ ବଦଳି ଯାଇଥିଲା।
ସେମାନେ ମୋତେ ଯୌତୁକ ଆଣିବା ପାଇଁ ଚାପ ପକାଇଥିଲେ। ବାପାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ମୁଁ ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ଯୌତୁକ ଆଣିପାରିଲି ନାହିଁ।

ବାହାଘରର ୨ବର୍ଷ ପରେ ଜାଣିବାକୁ ପାଇଲି ମୋ ସ୍ୱାମୀଙ୍କର ଗୋଟିଏ କିଡନି ଖରାପ ହୋଇଯାଇଛି। ଏହାପରେ ଶାଶୁଘର ଲୋକ କହିବାକୁ ଲାଗିଲେ ଯେ,‘‘ ଯଦି ତୁ ତୋ ବାପାମାଙ୍କ ଘରୁ ଯୌତୁକ ଆଣିପାରିଲୁ ନାହିଁ, ତେବେ ଗୋଟିଏ କିଡନୀ ଦାନ କର।’’ 

ପ୍ରଥମେ ଏହା ସାଧାରଣ ଭାବରେ କୁହାଯାଉଥିଲା, କିନ୍ତୁ ପରେ ମୋତେ କିଡନି ଦେବାକୁ ଲଗାତାର ଚାପ ପକାଗଲା। ମୁଁ କିଡନି ଦେବାକୁ ମନା କରି ଦେବାରୁ ଶାଶୁଘର ଲୋକେ ମାଡ଼ମାରି ମୋତେ ଘରୁ ବାହାର କରିଦେଇଛନ୍ତି। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ କିଡନି ଦାନ କରିବାକୁ ମୁଁ ରାଜି ଅଛି। କିନ୍ତୁ ଏତିକି ବି ଜାଣିଛି କିଡନି ଦାନ ପରେ ସେମାନେ ମୋତେ ପୁଣି ମାଡ଼ଗାଳି ଦେଇ ଘରୁ ବାହାର କରି ଦେବେ।’ 

ସମଗ୍ର ମାମଲାକୁ ନେଇ ଗ୍ରାମାଞ୍ଚଳ ଏସ୍ପି ବିଦ୍ୟାସାଗର କହିଛନ୍ତି ଯେ ମିଥାନପୁରା ଥାନା ଅଞ୍ଚଳରେ ରହୁଥିବା ଯୁବତୀ ତାଙ୍କ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ କିଡନି ଦାନ କରିବାକୁ ଚାପ ପକାଇବା ଅଭିଯୋଗ କରିଥିଲେ। ଏହାପରେ ମାମଲା ରୁଜୁ କରାଯାଇ ଯାଞ୍ଚ କରାଯିବା ପରେ ଘଟଣାରେ ସମ୍ପୃକ୍ତ ଥିବା  ମହିଳାଙ୍କ ଶାଶୁଘର ଲୋକଙ୍କୁ ଗିରଫ କରାଯାଇଛି।