ମୁଜାଫର୍‌ନଗର ସେଲ୍‌ଟର ହୋମ୍‌ ଯୌନ ଉତ୍ପୀଡ଼ନ ମାମଲା ‘ଦୁଃଖଦାୟକ’ ଓ ‘ଭୟଙ୍କର’; ମୁଖ୍ୟ ଅଭିଯୁକ୍ତକୁ ରାଜ୍ୟ ବାହାରେ ଥିବା ଜେଲ୍‌କୁ ପଠାଯାଉ : ସୁପ୍ରିମକୋର୍ଟ

ମୁଜାଫର୍‌ନଗର: ମୁଜାଫର୍‌ନଗର ସେଲ୍‌ଟର ହୋମ୍‌ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରି ସିବିଆଇ ଦାଖଲ କରିଥିବା ଷ୍ଟାଟସ୍‌ ରିପୋର୍ଟକୁ ଭିତ୍ତିକରି ସୁପ୍ରିମ୍‌କୋର୍ଟ ଏହି ଅପରାଧ ଅତ୍ୟନ୍ତ ଦୁଃଖଦାୟକ ଓ ଭୟଙ୍କର ବୋଲି କହିଛନ୍ତି। ଏଥିସହ ଘଟଣାର ମୁଖ୍ୟଅଭିଯୁକ୍ତ ଖୁବ୍‌ ପ୍ରଭାବଶାଳୀ ହୋଇଥିବାରୁ ତାଙ୍କୁ ବିହାରର କୌଣସି ଜେଲ୍‌ରେ ରଖିବା ସମୀଚୀନ ନୁହେଁ। ତେଣୁ ତାଙ୍କୁ ରାଜ୍ୟ ବାହାରର ଯେ କୌଣସି ଜେଲ୍‌କୁ ପଠାଇ ଦିଆଯାଉ।

ଏକ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ବ୍ରଜେଶ ଠାକୁରଙ୍କ ଦ୍ୱାରା ପରିଚାଳିତ ଉକ୍ତ ସେଲ୍‌ଟର୍‌ ହୋମରେ ୩୦ରୁ ଊର୍ଧ୍ୱ ଯୁବତୀ ଯୌନ ଶୋଷଣର ଶିକାର ହୋଇଥିଲେ। ରାଜ୍ୟ ସମାଜ କଲ୍ୟାଣ ବିଭାଗରେ ଟିଆଇଏସ୍‌ଏସ୍‌ ଦ୍ୱାରା ଦାଖଲ ହୋଇଥିବା ଏକ ଅଡିଟ୍‌ ରିପୋର୍ଟ ପରେ ଏହି ଭୟଙ୍କର ସତ୍ୟ ପଦାକୁ ଆସିଥିଲା।

ମଙ୍ଗଳବାର ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ କି ବ୍ରଜେଶ ଠାକୁର ଖୁବ୍‌ ପ୍ରଭାବଶାଳୀ ଏବଂ ତାଙ୍କୁ ବିହାରର ଜେଲ୍‌ରେ ନ ରଖି ଅନ୍ୟ ରାଜ୍ୟର ଜେଲ୍‌କୁ ସ୍ଥାନାନ୍ତର କରାଯିବା ଉଚିତ।

ସିବିଆଇ ପକ୍ଷରୁ ଠାକୁରଙ୍କ ନାମରେ ସାଂଘାତିକ ଅଭିଯୋଗ ଆସିଛି। ବ୍ରଜେଶଙ୍କ ଦ୍ୱାରା ସଂଚଳିତ ପ୍ରଭାବ ଉପରେ ବି ସିବିଆଇ ଧ୍ୟାନ ଦେଇଛି। ତାଙ୍କ ବିରୋଧରେ ରହିଥିବା ସଂଘାତିକ ଅଭିଯୋଗକୁ ଲକ୍ଷ୍ୟ କଲେ ତାଙ୍କୁ ବିହାରର କେଉଁ ବି ଜେଲ୍‌ରେ ରଖିବା ଉଚିତ ନୁହେଁ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।

ଏହା ବ୍ୟତୀତ ବିହାର ସରକାର ଏବଂ ସିବିଆଇକୁ ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଏଯାବତ୍‌ କାହିଁକି ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦ୍ର ଶେଖର ବର୍ମାଙ୍କୁ କାହିଁକି ଗିରଫ କରାଯାଇ ନାହିଁ?ଚନ୍ଦ୍ର ଶେଖର ବର୍ମାଙ୍କର ବ୍ରଜେଶ ଠାକୁରଙ୍କ କାରବାରରେ ହାତ ଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର