ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାଗପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ୩୦୦ଟଙ୍କାର ଟି-ସାର୍ଟ ପାଇଁ ୨ଜଣ ସାଙ୍ଗଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏହି ବିବାଦରେ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ଶୁଭମ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଶାନ୍ତିନଗର ପୁଲିସ ଥାନା ଅନ୍ତର୍ଗତ କାବରାପେଠ ଅଞ୍ଚଳରେ ବସବାସ କରୁଥିବା ଅକ୍ଷୟ ଅନଲାଇନରେ ଟି-ସାର୍ଟ ଅର୍ଡର କରିଥିଲେ। ଯାହାର ମୂଲ୍ୟ ୩୦୦ଟଙ୍କା ଥିଲା। ଏହି ଟି-ସାର୍ଟ ଅକ୍ଷୟଙ୍କୁ ଛୋଟ ହୋଇଥିଲା। ତେଣୁ ସେ ଶୁଭମଙ୍କୁ ଉକ୍ତ ସାର୍ଟ ଦେଇ ଦେଇଥିଲେ। କିନ୍ତୁ ଶୁଭମ ଉକ୍ତ ଟି-ସାର୍ଟ ବାବଦକୁ ୩୦୦ଟଙ୍କା ଦେବାକୁ ମନା କରି ଦେଇଥିଲେ।
ଯେଉଁ କାରଣରୁ ଶୁଭମ ଓ ଅକ୍ଷୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ଶୁଭମ ରାଗି ଯାଇ ଅକ୍ଷୟଙ୍କ ମୁହଁରେ ୩୦୦ଟଙ୍କା ଆଣି ଫିଙ୍ଗିଥିଲେ। ଏଥିରେ ଅକ୍ଷୟ ରାଗି ଯାଇ ତାଙ୍କର ଭାଇକୁ ସାଙ୍ଗରେ ଧରି ଶୁଭମଙ୍କ ଉପରେ ଆକ୍ରମଣ କରିଥିଲେ। ଅକ୍ଷୟଙ୍କ ମାଡ଼ରେ ଶୁଭମଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶୁଭକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅକ୍ଷୟ ଓ ତାର ଭାଇକୁ ଗିରଫ କରିଛି ପୁଲିସ।