ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଲିସ ଅଧିକାରୀ ନିଜ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଥିବା କଥାକୁ ନିଜେ ସ୍ବୀକାର କରି ଥାନାରେ ଆତ୍ମସମର୍ପଣ କରିଛନ୍ତି।
ସୂଚନାଯୋଗ୍ୟ, ନାନ୍ଦେଡର ଆଇଡିୟଲ କଲୋନି ଧନେଗ୍ରାମରେ ବୁଧବାର ସନ୍ଧ୍ୟା ୬.୩୦ରେ ଏହି ଘଟଣା ଘଟିଛି। ଏଠାରେ ବସବାସ କରୁଥିବା ଅଫଜଲ ପଠାନ ସହରର ବିମାନତଲ ପୁଲିସ ଷ୍ଟେସନରେ ସହାୟକ ପୁଲିସ ଇନ୍ସପେକ୍ଟର ଭାବେ ନିୟୋଜିତ ଥିଲେ। ଅଫଜଲ ନିଜ ସରକାରୀ ବନ୍ଧୁକରେ ସ୍ତ୍ରୀକୁ ହତ୍ୟା କରିଥିଲେ। ଏହାପରେ ଥାନାରେ ପହଞ୍ଚି ପୁଲିସ ସମ୍ମୁଖରେ ସମସ୍ତ ଘଟଣା ବଖାଣି ଆତ୍ମସମର୍ପଣ କରିଥିଲେ। କିନ୍ତୁ ସ୍ତ୍ରୀକୁ ହତ୍ୟା କରିବାର କାରଣ କ’ଣ ସେନେଇ କିଛି ବି କହି ନଥିଲେ।
ଖବର ଲେଖାହେଲା ପର୍ଯ୍ୟନ୍ତ ପୁଲିସ ଅଧିକାରୀ କାହିଁକି ନିଜ ସ୍ତ୍ରୀଙ୍କୁ ହତ୍ୟା କଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଏସପି ସ୍ବତନ୍ତ୍ର ଟିମ ଗଠନ କରି ଯାଞ୍ଚ କରୁଛନ୍ତି। ଅଫଜଲ ପଠାନଙ୍କ ମାନସିକ ଓ ପାରିବାରିକସ୍ଥିତି କେମିତି ଥିଲା ସେନେଇ ପୁଲିସ ଯାଞ୍ଚ କରିବା ସହିତ ପୁଲିସ ଅଧିକାରୀଙ୍କୁ ଜେରା ଜାରି ରଖିଛି। ଏଥିସହିତ ପଠାନଙ୍କ ପାଖଲୋକ, ସାଙ୍ଗ, ବନ୍ଧୁବାନ୍ଧବ ଓ ପଡ଼ିଶାଲୋକଙ୍କୁ ବି ପୁଲିସ ପଚରାଉଚରା ଜାରି ରଖିଛି। ଖୁବଶୀଘ୍ର ଏହି ହତ୍ୟା ଘଟଣା ଉପରୁ ପୁଲିସ ପରଦା ଉଠାଇବ ବୋଲି ପ୍ରତିକ୍ରିୟା ଦେଇ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/v0UQAsB1UteWCDu7DuyI.jpg)