ଜଲନ୍ଧର: ପଞ୍ଜାବର ଜଲନ୍ଧରରେ ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମ ପରେ ବହୁ ମାତ୍ରାରେ ନିଶା ଔଷଧ ଜବତ କରାଯାଇଛି । ଏହି ଅପରେସନରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ମଧ୍ୟ ଜଣା ପଡ଼ିଛି । ଅଭିଯୁକ୍ତ ନିଜ ଗାଡ଼ି ସାହାଯ୍ୟରେ ନିଶା ଔଷଧର କାରବାର କରୁଥିବା ବେଳେ କାହାର ଯେମିତି ସନ୍ଦେହ ନ ହେବ ସେଥି ପାଇଁ ସେ ନିଜ ଗାଡ଼ିରେ ‘ପ୍ରେସ୍’ର ଷ୍ଟିକର ଲଗାଇଥିଲା ବୋଲି ପୁଲିସ ସୂଚନା ଦେଇଛି ।
/sambad/media/post_attachments/wp-content/uploads/2018/07/punjab-1-1531566659-300x225.jpg)
ସୂଚନା ମୁତାବକ, ମିଲାପ ଚୌକ ସ୍ଥିତ ମୋନିକା ଟାଓ୍ଵାରରେ କସିଶନରେଟ୍ ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ରେଡ଼୍ କରିଥିଲେ । ଏହି ରେଡ଼୍ରେ ସ୍ୱାସ୍ଥ୍ୟ ଅଧିକାରୀ ଅନୁପମା କାଲିଆ, ଡ଼ାକ୍ତର ଦିନେଶ, ଏସିପି ସରବ୍ଜିତ୍ ରାୟ ଏବଂ ଏସିପି ଦଲ୍ବୀର ସିଂ ବୁଟୁର୍ ସାମିଲ ଥିଲେ । ଏହି ଟିମ୍ ମୋନିକା ଟାଓ୍ଵାରରେ ଥିବା ଏକ ଗୋଦାମରେ ଛାପା ମାରି ବ୍ୟାପକ ପରିମାଣର ନିଶା ଔଷଧ ଜବତ କରିଥିଲେ । ୩ଦିନ ପୂର୍ବରୁ ଏକ ବସ୍ତିରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମୋନିକା ଟାଓ୍ଵାରରେ ପୁନିତ୍ ନାମକ ଜଣେ ଯୁବକ ଗୋଦାମ କରି ନିଶା ଔଷଧକୁ ଷ୍ଟୋର କରି ରଖୁଥିବା ସେମାନେ ଜଣାଇଥିଲେ । ଏହି ସୂଚନା ପାଇ ପୁଲିସ ଗୋଦାମରେ ଛାପା ମାରିଥିବା ବେଳେ ସବୁ ସତ ସାମ୍ନାକୁ ଆସିଥିଲା । ପୁନିତ ନିଜ ଗାଡ଼ିରେ ପ୍ରେସ୍ ଲେଖି ଏହି କାରବାରକୁ ସୁରୁଖୁରରେ ଚଲାଉଥିଲେ ବୋଲି ପୁଲିସ ଜାଣିବା ସହ ପୁନିତଙ୍କୁ ଗିରଫ କରିଥିଲା ।