ନରସିଂହପୁର: ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ର ପେଟ୍ରୋଲ ଢ଼ାଳି ଶିକ୍ଷୟିତ୍ରୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଥିବା ଛାତ୍ରକୁ ହେପାଜତକୁ ନେଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ବୀରେନ୍ଦ୍ର କୋଚରଙ୍କ ପୁଅ ସୂର୍ଯ୍ୟାଂଶ କୋଚର (୧୮) ନରସିଂହପୁରର ଭଥାନା କୋତୱାଲି ଅଞ୍ଚଳର ଉତ୍କର୍ଷ ବିଦ୍ୟାଳୟର ଛାତ୍ର । ସେ ସ୍କୁଲର ଜଣେ ଶିକ୍ଷୟିତ୍ରୀ (୨୬ବର୍ଷ) (ଗେଷ୍ଟ ଟିଚର)ଙ୍କୁ ଏକ ତରଫା ଭଲ ପାଉଥିଲା।
ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ଅବସରରେ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀଙ୍କୁ ଦେଖି ଅଭିଯୁକ୍ତ ଛାତ୍ରଜଣକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ଶିକ୍ଷୟିତ୍ରୀଙ୍କ ଏଭଳି ଅଭିଯୋଗ ପରେ ଛାତ୍ର ଜଣକ ରାଗି ଯାଇଥିଲା। ସେ ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇଯାଇଥିଲା।
ରାଗ ରଖି ଛାତ୍ର ଜଣକ ଗତ ସୋମବାର ଶିକ୍ଷୟିତ୍ରୀଙ୍କ ଘରେ ପେଟ୍ରୋଲ ନେଇ ପହଞ୍ଚିଲା। ଛାତ୍ରଙ୍କୁ ଦେଖି ଶିକ୍ଷୟିତ୍ରୀ ଜଣକ କିଛି ପଚାରିବା ପୂର୍ବରୁ ସେ ତାଙ୍କ ଉପରକୁ ପେଟ୍ରୋଲ ଢାଳି ଆଖିପିଛୁଳାକେ ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହି ଘଟଣାରେ ଶିକ୍ଷୟିତ୍ରୀଙ୍କ ଶରୀର ୧୦-୧୫ ପ୍ରତିଶତ ପୋଡ଼ି ଯାଇଥିଲା।
ପରିବାରଲୋକ ପୀଡ଼ିତାଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଶିକ୍ଷୟିତ୍ରୀ ଜଣକ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।
ପୀଡିତାଙ୍କ ପୂର୍ଣ୍ଣ ବୟାନ ରେକର୍ଡ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାର କିଛି ଘଣ୍ଟା ମଧ୍ୟରେ ଡୋଙ୍ଗରଗାଁ ଥାନା ଅଞ୍ଚଳ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରୁ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ତଦନ୍ତ ଆରମ୍ଭ କରାଯାଇଛି