ନୂଆଦିଲ୍ଲୀ: ଦେଶ ସେବା କରିବାର ଥିଲା ଯଦି ସେନାରେ ସାମିଲ ହେଲେନି କାହିଁକି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଲିଉଡର ଲୋକପ୍ରିୟ ଅଭିନେତା ନସିରୁଦ୍ଦିନ ଶାହା (୭୩) ଏକ ସାକ୍ଷାତକାରରେ ଏଭଳି ପ୍ରଶ୍ନ କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡି (ୟୁ) ସହିତ ଏନଡିଏ ହାତ ମିଶାଇବା ସହ ବିଜେପିର ଅନ୍ୟ ପ୍ରସଙ୍ଗକୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ ନସିରୁଦ୍ଦିନ।

Advertisment

ଜାତୀୟ ଗଣମାଧ୍ୟମ ଦି ୱାୟାରକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, "ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡି (ୟୁ) ସହିତ ହାତ ମିଶାଇବା ଏନଡିଏ ପାଇଁ ପିତା ଔଷଧ ଖାଇବା ପରି। ଆଗକୁ ଏମାନଙ୍କ ସହ ସରକାର ଚଳାଇବା ନରେନ୍ଦ୍ର ମୋଦୀଙ୍କ ପାଇଁ କଷ୍ଟସାଧ୍ୟ ହେବ। ଏବେ ମୋଦୀଙ୍କ ପାଇଁ ଆତ୍ମନିରୀକ୍ଷଣର ସମୟ ଆସିଛି। ମୋଦୀଜୀ କ୍ଷମତା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ସହ ହାତ ମିଲାଇଛନ୍ତି। ତାଙ୍କୁ ଲାଗୁଛି ସେ ସବୁଦିନ ପ୍ରଧାନମନ୍ତ୍ରୀ ହୋଇ ରହିବେ। ଏଭଳି ଚିନ୍ତାଧାରା ବଦଳାଇବା ଉଚିତ୍। କେହି ତାଙ୍କୁ ଏପର୍ଯ୍ୟନ୍ତ ପ୍ରଶ୍ନ କରିନାହାନ୍ତି। କିନ୍ତୁ ତାଙ୍କୁ ପଚାରିବା କଥା ଯେ, ଯଦି ତାଙ୍କୁ ଦେଶ ସେବା କରିବାର ଥିଲା ତେବେ ସେନାରେ ସାମିଲ ହେଲେନି କାହିଁକି।"

କିଛି ଦିନ ତଳେ ମୋଦୀଜୀ କହିଥିଲେ ଯେ, ଭଗବାନ ମୋତେ ପଠାଇଛନ୍ତି। ଏହା ଉପରେ ସାକ୍ଷାତକାରରେ ପ୍ରଶ୍ନ କରାଯିବାରୁ ନସିରୁଦ୍ଦିନ ଏକ ପେଚାର କାହାଣୀ ଶୁଣାଇଥିଲେ। ଏହା ଶୁଣି ସାକ୍ଷାତକାର ନେଉଥିବା ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ, ଆପଣ କ’ଣ ମୋଦୀଜୀଙ୍କୁ ପେଚା କହୁଛନ୍ତି। ଏହା ଶୁଣି ସେ ହସିଦେଇଥିଲେ।