ନୂଆଦିଲ୍ଲୀ:ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ୧୦ମ ଶ୍ରେଣୀର ଛାତ୍ରଙ୍କ ବାପା ଓ ମା’ କେକ କାଟୁଥିବା ଦେଖିବାକୁ ମିଳିଥିଲା। ଏହି କେକ କାଟିବାର ଉଦ୍ଦେଶ୍ୟ ଥିଲା ଏହି ଦମ୍ପତିଙ୍କର ପୁଅ ୧୦ମ ଶ୍ରେଣୀ ପରୀକ୍ଷାରେ ଫେଲ ହୋଇଯାଇଥିଲା। ଫେଲ ହେବା ଦୁଃଖ ପୁଅକୁ ନହେଉ ସେଥିପା୍ଇଁ ବାପା ଓ ମା’ କେକ କାଟି ତାର ଆତ୍ମବିଶ୍ବାସକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଉକ୍ତ ଛାତ୍ରଙ୍କ ବାପା ଓ ମା’ଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ।
ସମ୍ପ୍ରତି ଏହାର ଏକ ଓଲଟା ଘଟଣା ସାମ୍ନାକୁ ଆସିଛି। ପରୀକ୍ଷାରେ ଫେଲ ହେବାପରେ ଛାତ୍ରୀଙ୍କ ବାପା ଝିଅକୁ ନିସ୍ତୁକମାଡ଼ ମାରି ହତ୍ୟା କରିଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଘଟିଛି।
ସୂଚନାଯୋଗ୍ୟ, ୧୬ବର୍ଷୀୟ ସାଧନା ହଷ୍ଟେଲରେ ରହି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ନିକଟରେ ସେ ଘରକୁ ବୁଲିବାକୁ ଆସିଥିଲେ। ଏହି ସମୟରେ ତାଙ୍କ ବାପା ଜାଣିବାକୁ ପାଇଲେ କି ଝିଅ ସାଧନା ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଫେଲ ହୋଇଯାଇଛି। ଏହାକୁ ସାଧନାଙ୍କ ବାପା ସହ୍ୟ କରି ନପାରି ମାଡ଼ ମାରିବା ଆରମ୍ଭ କରିଥିଲେ। ବାପା ମାଡ଼ ମାରୁଥିବା ଦେଖି ମଧ୍ୟ ସାଧନାଙ୍କ ମା’ ଅଟକାଇବାକୁ ଆସିବା ସମୟରେ ଝିଅ ଅଚେତ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ସାଧନାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।