ଗୁରୁଦ୍ୱାରରେ ଆଶ୍ରୟ ନେଇଥିବା ନେପାଳୀ ମହିଳାଙ୍କ ସହ ଦୁଷ୍କର୍ମ କଲେ ଦୁଇ ସେବାଦାର

ଶାହଜହାନ୍‌ପୁର : ଉତ୍ତରପ୍ରଦେଶର ଶାହଜହାନ୍‌ପୁରରେ ଥିବା ଏକ ଗୁରୁଦ୍ୱାରରେ ଜଣେ ନେପାଳୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ସ୍ୱାମୀଙ୍କୁ ଦେଖା କରିବା ପାଇଁ ସୀତାରଗଞ୍ଜ ଯାଉଥିବା ବେଳେ ମହିଳାଙ୍କ ସହ ଏହି ଘଟଣା ଘଟିଥିଲା । ଏହି ଘଟଣା ଘଟିବା ସମୟରେ ମହିଳାଙ୍କ ଦୁଇ ପୁଅ ତାଙ୍କ ସହ ଥିଲେ ବୋଲି ଜଣାପଡ଼ିଛି । ଗଣଦୁଷ୍କର୍ମର ଶିକାର ହୋଇ ମହିଳା ଜଣଙ୍କ ପୁଲିସରେ ଅଭିଯୋଗ କରିବା ପରେ ଦୁଇ ସେବାଦାରଙ୍କୁ ଗିରଫ କରିଛି ପୁଲିସ ।

oneindia.com

ସୂଚନା ମୁତାବକ, ପୀଡ଼ିତା ନିଜ ବାପ ଘର ନେପାଳରୁ ଉତ୍ତରାଖଣ୍ଡର ସୀତାରଗଞ୍ଜକୁ ଯାତ୍ରା କରୁଥିଲେ । ସ୍ୱାମୀକୁ ଭେଟିବା ପାଇଁ ଯାଉଥିବା ବେଳେ ପାଲିରେ ଓହ୍ଲାଇ ସୀତାରଗଞ୍ଜ ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ଠିକଣା ପଚାରିଥିଲେ ପୀଡ଼ିତା । ଅଧିକ ରାତି ହୋଇ ଯାଇଥିବାରୁ ଏକା ଯାତ୍ରା କରିବାକୁ ମନା କରିବା ସହ ପାଖରେ ଥିବା ଗୁରୁଦ୍ୱାରରେ ରହିବା ପାଇଁ କହିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକଙ୍କ କଥା ମାନି ପୀଡ଼ିତା ନିଜ ୩ ବର୍ଷର ପୁଅ ଏବଂ ଦେଢ଼ ମାସର ପୁଅକୁ ଧରି ଗୁରୁଦ୍ୱାରରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଦୁଇ ସେବାଦାରଙ୍କ ସହ କଥା ହେବା ପରେ ସେମାନେ ପୀଡ଼ିତାଙ୍କୁ ରହିବା ପାଇଁ ଘର ଦେଇଥିଲେ । ରାତି ୧୦ଟା ସମୟରେ ପୀଡ଼ିତା ରହିଥିବା ଘରକୁ ଆସି ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ଦୁଇ ସେବାଦାର । ପୀଡ଼ିତା ମନା କରିବାରୁ ତାଙ୍କର ଦୁଇ ପିଲାକୁ ହତ୍ୟା କରିବାର ଧମକ ଦେଇଥିଲେ ସେବାଦାର । ଯାହା ପରେ ଚାହିଁ ମଧ୍ୟ ପୀଡ଼ିତା ନିଜକୁ ଗଣଦୁଷ୍କର୍ମରୁ ରକ୍ଷା କରି ପାରି ନଥିଲେ । ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଗରୁଦ୍ୱାରରେ ପହଞ୍ଚି ଦୁଇ ସେବାଦାରଙ୍କୁ ଗିରଫ କରିଛି ପୁଲିସ । ଏ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠା ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର