ପ୍ରତାପଗଡ଼: ଉତ୍ତର ପ୍ରଦେଶର ପ୍ରତାପଗଡ଼ରୁ କିଛିଦିନ ତଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଜଣେ ମହିଳା ନିଜକୁ ବାଜି ଲଗାଇ ଦେଇଥିଲେ, ଆଉ ସେ ଖେଳରେ ହାରିଯାଇଥିଲେ।

Advertisment

ଉକ୍ତ ମହିଳାଙ୍କ ସ୍ବାମୀ ଏକ ଭିଡିଓ ପୋଷ୍ଟ କରି କହିଥିଲେ, ସେ ବିଦେଶରେ କାମ କରି ଟଙ୍କା ପଠାଉଥିବା ବେଳେ, ତାଙ୍କ ସ୍ତ୍ରୀ ସେହି ଟଙ୍କାରେ ଜୁଆ ଖେଳି ଦେଇଥାଆନ୍ତି। ତେବେ ଏହି ଘଟଣାରେ ପୁଲିସ ମହିଳା ରେଣୁଙ୍କୁ ଡାକିବା ପରେ ଘଟଣାରେ ଏକ ନୂଆମୋଡ ଦେଖା ଦେଇଛି।

କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ବସବାସ କରୁଥିବା ରେଣୁ କହିଛନ୍ତି, ‘ଜୁଆ ମୁଁ ନୁହେଁ, ମୋର ସ୍ବାମୀ ଖେଳି ଥାଆନ୍ତି।’ ଏହି କଥା ରେଣୁଙ୍କ ମୁହଁରୁ ଶୁଣିବା ପରେ ପୁଲିସ ରେଣୁଙ୍କ ସ୍ବାମୀଙ୍କୁ ଧରିବା ପାଇଁ ବାହାରି ପଡ଼ିଛି।

ଦୁଇଦିନ ପୂର୍ବରୁ ରେଣୁଙ୍କ ସ୍ବାମୀ ଅଭିଯୋଗ କରିଥିଲେ ଯେ, ‘ଦେବକାଲିରେ ସେ ଘରଭଡ଼ା ନେଇ ରହୁଛନ୍ତି। ୬ ମାସ ତଳେ ସେ କାମ କରିବା ପାଇଁ ଜୟପୁର ଯାଇ ନିୟମିତ ପତ୍ନୀଙ୍କ ପାଖକୁ ଟଙ୍କା ପଠାଉଥିଲେ। ସେ ଟଙ୍କାରେ ସେ ଜୁଆ ଖେଳୁଥିଲେ। ଟଙ୍କା ସରିଯିବାରୁ ସେ ଲୁଡୁ ଖେଳରେ ନିଜକୁ ଘର ମାଲିକଙ୍କ ପାଖରେ ବାଜି ଲଗାଇ ଦେଲେ। ଏବେ ରେଣୁ ଘର ମାଲିକଙ୍କ ସହିତ ରହୁଛନ୍ତି। ଘର ମାଲିକଙ୍କୁ ଛାଡ଼ିବାକୁ ଯେତେ କହିଲେ ବି ସେ ତାଙ୍କୁ ଛାଡ଼ିବାକୁ ନାରାଜ ଅଛନ୍ତି।’