ସିଦ୍ଧାର୍ଥନଗର: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ମାଟି ତଳୁ ଏକ ନବଜାତ ଶିଶୁକୁ ଜୀବନ୍ତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରଛନ୍ତି। ଉଦ୍ଧାର ପରେ ନବଜାତକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି।
/sambad/media/post_attachments/41e3253d55398f5b5041045dd5a9d9657a73df41569f4d92f758b5716cf59a46.jpg)
ସୂଚନାଯୋଗ୍ୟ, ଗ୍ରାମର ସୋନୌରା ଟୋଲାରେ ଘନଶ୍ୟାମଙ୍କ ଘର ନିର୍ମାଣ କାମ ଚାଲିଥାଏ। ଏଥିପାଇଁ ମାଟିର ଆବଶ୍ୟକ ପଡ଼ିବାରୁ କର୍ମଚାରୀମାନେ ନିକଟସ୍ଥ ଏକ ଖାଲି ପଡ଼ିଆକୁ ମାଟି ଆଣିବା ପାଇଁ ଯାଇଥିଲେ। ସେଠାରେ ମାଟି ଖୋଳୁ ଥିବା ସମୟରେ ହଠାତ ମାଟି ତଳୁ ଶିଶୁର କାନ୍ଦ ସ୍ୱର ଶୁଣିବାକୁ ପାଇଥିଲେ। ଯେଉଁଠାରେ ଶିଶୁର କାନ୍ଦ ଶୁଣାଯାଉଥିଲା ଲୋକମାନେ ସେହି ସ୍ଥାନକୁ ଦୌଡ଼ି ଯାଇଥିଲେ। ମାଟି ତଳେ କିଛି ଥିବା ସନ୍ଦେହ କରି ଆଡେଇଲା ବେଳକୁ ହଠାତ ପ୍ରଥମେ ସେମାନେ ଶିଶୁର ହାତ ଦେଖି ଭୟଭୀତ ହୋଇଯାଇଥିଲେ। ପରେ କିଛି ଲୋକ ଶିଶୁକୁ ତୁରନ୍ତ ସେଠାରୁ ଉଠାଇ ଆଣି ପୁଲିସରେ ଖବର ଦେଇଥିଲେ। ସଙ୍ଗେସଙ୍ଗେ ଶିଶୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତଙ୍କ ଲୋମମୂଳ ଟାଙ୍କୁରି ଉଠିବା ସହ ଆଖି ବି ଜକେଇ ଯାଇଥିଲା। ସମସ୍ତଙ୍କ ମୁଖରେ ଥିଲା ଗୋଟିଏ ଶବ୍ଦ ଆହାଃ.. ଶିଶୁଟିର ଏଭଳି ଅବସ୍ଥା କିଏ ବା କଲା। ତା’ ହୃଦୟ ଏପରି କରିବାକୁ ଟିକେ ବାଧା ଦେଲା ନାହିଁ?
ଶିଶୁର ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ, ଜନ୍ମ ହେବାର ମାତ୍ର କିଛି ସମୟ ଭିତରେ ଶିଶୁକୁ କେହି ଏପରି ମାଟି ତଳେ ପୋତି ଦେଇ ଚାଲି ଯାଇଛି। ତେବେ ଏତେ ସମୟ ଧରି ଶିଶୁଟି ମାଟି ତଳେ ରହିବା ହେତୁ ତାର ଶ୍ୱାସ ନଳୀ ଭିତରକୁ କିଛି ମାଟି ଚାଲି ଯାଇଛି । ଶିଶୁଟିର ଚିକିତ୍ସା ଜାରି ରହିଥିବା ବେଳେ ଏହା ଏକ ଚମତ୍କାର ଘଟଣା। କାରଣ ଏକ ନବଜାତ ଏତେ ସମୟ ଧରି ମାଟି ଭିତରେ ଜୀବିତ ରହିବା ଅସମ୍ଭବ କଥା। ଏଠାରେ ‘ରଖେ ହରି ମାରେ କିଏ’ ଉକ୍ତିର ଉଦହାରଣ ଦେଖିବାକୁ ମିଳୁଛି।