ନୂଆଦିଲ୍ଲୀ: ଜୀବିତାବସ୍ଥାରେ ମୃତ ଘୋଷିତ ନବଜାତ ଶିଶୁର ଚିକିତ୍ସା ସମୟରେ ମୃତ୍ୟୁ !

ନୂଆଦିଲ୍ଲୀ: ମାକ୍ସ ହେଲଥ୍‌ କେୟାର ହସ୍‌ପିଟାଲରେ ଜୀବିତ ନବଜାତ ଶିଶୁକୁ ମୃତ ଘୋଷଣା କରି ପଲିଥିନ୍‌ରେ ଭର୍ତ୍ତି କରାଯାଇଥିଲା। ଏହି ଶିଶୁର ଅନ୍ୟ ଏକ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ବୁଧବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାପରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ସାଲିମାର ବାଗ ଅଞ୍ଚଳରେ ଥିବା ମାକ୍ସ ହସ୍‌ପିଟାଲରେ ନଭେମ୍ବର ୩୦ରେ ଜଣେ ମହିଳା ଯାଅାଁଳା ଶିଶକୁ ଜନ୍ମ ଦେଇଥିଲେ। ଏହି ଦୁଇ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ମୃତବୋଲି ଘୋଷଣା କରାଯାଇଥିଲା। ପ୍ରସବ ହେବାର ଏକଘଣ୍ଟା ପରେ ହସ୍‌ପିଟାଲ ଦ୍ୱିତୀୟ ଶିଶୁକୁ ବି ମୃତ ବୋଲି କହିଥିଲେ। ଏହାପରେ ଦୁଇଟି ଶିଶୁର ମୃତଦେହ ଏକ ପ୍ୟାକେଟର ଭରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ପରିବାରବର୍ଗ ଯେତେବେଳେ ମୃତ ଶିଶୁକୁ ଧରି ଘରକୁ ଆଣୁଥିଲେ, ରାସ୍ତାରେ ତାଙ୍କ ପ୍ୟାକେଟ ଭିତରେ କ’ଣ ଗୋଟେ ହଲଚଲ ହେଲା ଭଳି ଅନୁଭବ ହୋଇଥିଲା। ଏହାପରେ ସଙ୍ଗେସଙ୍ଗେ ପ୍ୟାକେଟ ଫାଡି ଦେଖିଲା ବେଳକୁ କାଗଜରେ ଗୁଡ଼ା ଯାଇଥିବା ଶିଶୁଟି ନିଶ୍ୱାସ ନେଉଛି। ପରିବାର ଏହା ଦେଖି ଖୁସି ହୋଇଯାଇଥିଲେ, ତୁରନ୍ତ ପାଖରେ ଥିବା ଏକ ହସ୍‌ପିଟାଲରେ ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହାପରେ ଶିଶୁର ଚିକିତ୍ସା କରାଯାଇଥିଲା। ତେବେ ବୁଧବାର ଚିକିତ୍ସାଧୀନ ଥିବା ଶିଶୁଟିର ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାପରେ ଦିଲ୍ଲୀ ସରକାର ସଙ୍ଗେସଙ୍ଗେ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଏହି ଯାଞ୍ଚଦଳ ମାକ୍ସ ହସ୍‌ପିଟାଲରେ ଶିଶୁଟି ସହିତ ଯୋଡ଼ି ହୋଇଥିବା ମେଡିକାଲ ନିୟମ ପାଳନରେ ଅବହେଳା ହୋଇଥିବାର ରିପୋର୍ଟ ପାଇଥିଲେ। ତିନି ସଦସ୍ୟ ଥିବା ଟିମ୍‌ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏହି ମାମଲାର ପ୍ରାରମ୍ଭ ଯାଞ୍ଚ ରିପୋର୍ଟ ଦେଇଥିଲେ।

ତେଣେଏହି ମାମଲାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗମ୍ଭୀରତା ସହ ନେବା ସହିତ ତୁରନ୍ତ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଏହି ଘଟଣା ସମ୍ପର୍କରେ କଥା ହୋଇଥିଲେ। ସେ ଏହି ମାମଲାକୁ ନେଇ ଅସନ୍ତାଷ ବ୍ୟକ୍ତ କରିଛନ୍ତି।

ମାକ୍ସ ହସ୍‌ପିଟାଲରେ ଯେଉଁ ଡାକ୍ତରମାନେ ନବଜାତ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ, ମାମଲା ରୁଜୁ ହେବା ପରେ ହସ୍‌ପିଟାଲ ପ୍ରଶାସନ ଏହି ଘଟଣାକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛି। ଏହି ଘଟଣାରେ ଦୁଇଜଣ ଡାକ୍ତର ଏ.ପି.ମେହତା ଓ ଡାକ୍ତର ବିଶାଲ ଗୁପ୍ତା ସମ୍ପୃକ୍ତ ଥିବା ନେଇ ମୃତ ଶିଶୁଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର