ସ୍ତ୍ରୀକୁ ଖୁସି କରିବା ପାଇଁ ସିନେମା ଦେଖାଇ ନେବା ସ୍ବାମୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ସିନେମା ଘରୁ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଛାଡ଼ି ଫେରାର ହୋଇଯାଇଛନ୍ତି। ଏହି ମହିଳାଙ୍କ ଗତ ୭ଦିନ ହେବ ବିବାହ ହୋଇଥିଲା।

ସ୍ତ୍ରୀ ଫେରାର ହୋଇଯିବା ପରେ କାନ୍ଦିକାନ୍ଦି ସ୍ବାମୀ ଥାନାରେ ପହଞ୍ଚିଥିଲେ। ପୁଲିସକୁ କହିଥିଲେ, ‘ମୋର ବିବାହ ଜୁନ ୨୫ ତାରିଖରେ ଶାହପୁରାରେ ଜଣେ ଯୁବତୀଙ୍କ ସହିତ ହୋଇଥିଲା। ବିବାହକୁ ୭ଦିନ ପୂରିବା ପରେ ସ୍ତ୍ରୀ ମୋତେ ସିନେମା ଦେଖି ଯିବାକୁ କହିଥିଲା। ମୁଁ ବି ଭାବିଲି ବାପଘର ଲୋକଙ୍କୁ ଛାଡ଼ି ଆସିଛି। ମନ ଭଲ ଲାଗୁ ନଥିବ, ଟିକେ ବାହାରୁ ଯାଇ ସିନେମା ଦେଖି ବୁଲାବୁଲି କରି ଆସିଥିଲେ ତାର ମନ ବି ଖୁସି ହୋଇଯିବ।

ତେଣୁ ଜୟପୁରସ୍ଥିତ ପିଙ୍କ ସ୍କୋୟାର ମଲକୁ ବୁଲାଇବାକୁ ନେଇଥିଲି। ସବୁକିଛି ଠିକଠାକ ଥିଲା। ‌ଯେମିତି ସିନେମାର ବିରତି ଆସିଥିଲା। ସେ ‌ଶୌଚାଳୟ ଯିବାକୁ କହିଥିଲା। ଆଉ ସିନେମା ହଲରୁ ବାହାରି ଯାଇଥିଲା। ବିରତି ଶେଷ ହୋଇ ସିନେମା ଆରମ୍ଭ  ହୋଇଥିଲେ ହେଁ ସେ ଆଉ ଆସି ନଥିଲା। ମୁଁ ସିନେମା ହଲ ବାହ‌ାରେ ଛିଡ଼ା ହୋଇଥିବା ଲୋକଙ୍କୁ ସ୍ତ୍ରୀ ବିଷୟରେ ପଚାରିବାରୁ ସେମାନେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ପରେ ସ୍ତ୍ରୀ ପିନ୍ଧିଥିବା ଶାଢ଼ିର ରଙ୍ଗ କହିବା ପରେ ସେମ‌ାନେ କହିଲେ ସେହି ରଙ୍ଗର ଶାଢ଼ି ପିନ୍ଧିଥିବା ଜଣେ ମହିଳା ସିନେମା ହଲରୁ ବ‌ାହାରି ଏକ ଅଟୋରେ ବସି ଯାଇଥିବା ଦେଖିଛନ୍ତି।

ଏପଟେ ମହିଳା ତାଙ୍କ ବାପଘରେ ପହଞ୍ଚି ଥାନାକୁ ଯାଇ ପୁଲିସ ନିକଟରେ କହିଛନ୍ତି କି, ‘ମୁଁ ଏହି ବିବାହରେ ଖୁସି ନାହିଁ। ତେଣୁ ମୁଁ ଆଉ ଶାଶୁଘରକୁ ଯିବି ନାହିଁ। ମୋତେ କୌଣସି ପ୍ରକାର ସାହାଯ୍ୟ କରନ୍ତୁ।’

 

ସମ୍ବନ୍ଧିତ ଖବର