ଖବରକାଗଜ ବିକ୍ରେତାଙ୍କୁ ଅପହରଣ

ଜିଲା ପରିଷଦଙ୍କ ଅଫିସରେ ରଖି ମାଡ଼ ମାରିବା ଅଭିଯୋଗ

ଚନ୍ଦ୍ରଶେଖରପୁର : ଆଜି ସକାଳୁ ସକାଳୁ ଜଣେ ଖବରକାଗଜ ବିକ୍ରେତାଙ୍କୁ କିଛି ଯୁବକ ନାଲକୋ ଛକରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅପହୃତ ଜଣଙ୍କ ହେଉଛନ୍ତି ବିଶ୍ୱରଞ୍ଜନ ମହାନ୍ତି। ବିଶ୍ୱଙ୍କ ପତ୍ନୀ ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଅଭିଯୋଗ କଲା ପରେ ପୁଲିସ୍‌ ପିସିଆର୍‌ ଭ୍ୟାନ୍‌ ତାଙ୍କୁ ରଘୁନାଥପୁର ଅଞ୍ଚଳରୁ ଉଦ୍ଧାର କରିଥିଲା। ତେବେ ଏହି ଘଟଣାରେ କେହି ଗିରଫ ହୋଇନାହାନ୍ତି। ପୂର୍ବଶତ୍ରୁତା ତଥା ବ୍ୟବସାୟିକ କାରବାରକୁ ନେଇ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ବିିଶ୍ୱଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଆଜି ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ନାଲକୋ ଛକରେ ଥିବା ଖବରକାଗଜ ଷ୍ଟଲ୍‌ରେ ବସିଥିବା ବେଳେ ରଘୁନାଥପୁର ଗ୍ରାମର ମଳୟ ରାଉତ, ପଟିଆ ଷ୍ଟେସନ ଅଞ୍ଚଳର ଶଚିକାନ୍ତ ସିଂ ଓରଫ୍‌ ଚଗଲା ତାଙ୍କୁ ମାଡ଼ମାରି ବଳପୂର୍ବକ ମଟରସାଇକେଲ୍‌ରେ ବସାଇ ରଘୁନାଥପୁର ଅଞ୍ଚଳରେ ଥିବା ଜୋନ୍‌-୩୦ ଜିଲ୍ଲାପରିଷଦ ସଭ୍ୟଙ୍କ କାର୍ଯ୍ୟାଳୟକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ଅଭିଯୁକ୍ତଙ୍କ ଅନ୍ୟ ସହଯୋଗୀ ରଞ୍ଜିତ, ଦିପୁ ଓ ଆଉ କିଛି ଯୁବକ ବିଶ୍ୱଙ୍କୁ ମାଡ଼ ମାରିବା ସହିତ ଧମକଚମକ ଦେଇଥିଲେ। ଏହାସହିତ ବିଶ୍ୱଙ୍କ ଭାଇ ରମ୍ୟରଞ୍ଜନଙ୍କ ନାଁ ନେଇ ତାଙ୍କୁ ଧମକ ଦେଇଥିଲେ। ମାତ୍ର ପୁଲିସ୍‌ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ବିଶ୍ୱଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ବିଶ୍ୱଙ୍କ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରହିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର