ରାଜଧାନୀରୁ ନାଇଜେରିଆ ଯୁବକ ଗିରଫ

ଭୁବନେଶ୍ୱର : ଜାଲ୍‌ ପାସପୋର୍ଟ୍‌ ବଳରେ ଭାରତକୁ ଆସିଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖର ପୁର ଥାନା ପୁଲିସ ଜଣେ ନାଇଜେରିଆ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ ଆମାଦି ଭିକ୍ଟର ବ୍ଲେଜ୍‌(୪୩)। ପୂର୍ବରୁ ଖାରବେଳନଗର ଥାନା ପୁଲିସ ଜଣେ ନାଇଜେରିଆ ଯୁବକଙ୍କୁ ଗିରଫ କରିଥିଲା।

ପୁଲିସ ସୂଚନା ଅନୁଯାୟୀ ବ୍ଲେଜ୍‌ କୋକେନ୍‌ ନେଇ ମୁମ୍ବାଇ୍‌ରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସୁଥିବା ନାର୍କୋଟିକ୍ସ ବ୍ୟୁରୋ ୩ ଦିନ ତଳେ ଜାଣିବାକୁ ପାଇଥିଲା। ବ୍ଲେଜ୍‌କୁ ଧରିବା ପାଇଁ ନାର୍କୋଟିକ୍ସ ଅଧିକାରୀ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଷ୍ଟେସନ୍‌ରୁ ଗିରଫ କରିବା ପରେ ଚନ୍ଦ୍ରଶେଖରପୁର ସ୍ଥିତ ନାର୍କୋଟିକ୍ସ କାର୍ଯାଳୟକୁ ନିଆଯାଇଥିଲା। ସେଠାରେ ଯାଞ୍ଚ ବେଳେ ବ୍ଲେଜ୍‌ଙ୍କ ନିକଟରୁ କୋକେନ୍‌ ମିଳି ନଥିଲା। ମାତ୍ର ତାଙ୍କ ପାସପୋର୍ଟ ଜାଲ୍‌ ଥିବା ସନ୍ଦେହ କରାଯାଇଥିଲା। ଶନିବାର ସକାଳେ ପାସପୋର୍ଟ ଅଫିସ୍‌ରେ ବ୍ଲେଜ୍‌ଙ୍କ ପାସପୋର୍ଟ ଯାଞ୍ଚ କରିବାରୁ ତାହା ତାହା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ନାର୍କୋଟିକ୍ସ ଅଧିକାରୀ ତାଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ହସ୍ତାନ୍ତର କରିଥିଲେ।

ସେଠାରେ ପୁଲିସ ପଚରାଉଚରା ବେଳେ ଜଣାପଡ଼ିଥିଲା ଯେ, ଦୀର୍ଘ ୧୧ବର୍ଷ ହେବ ସେ ମୁମ୍ବାଇରେ ରହୁଥିଲେ। ତେବେ ପୁରୀର ଜଣେ ବ୍ୟକ୍ତିଙ୍କୁ ବିଦେଶରେ ପୁଞ୍ଜି ନିବେଶ କରାଇ ଦେବେ ବୋଲି ମେଲ୍‌ କରିଥିଲେ। ଏହାଦ୍ୱାରା ସେ ୧୦ ଗୁଣ ଲାଭ ପାଇବେ ବୋଲି ଲୋଭ ଦେଖାଇଥିଲେ। ତାଙ୍କୁ ଭେଟି ପୁଞ୍ଜି ନିବେଶ ସଂପର୍କରେ ଆଲୋଚନା କରିଥାଆନ୍ତେ। ଉକ୍ତ ବ୍ୟକ୍ତିଙ୍କଠାରୁ ଟଙ୍କା ନେବା ପରେ ବ୍ଲେଜ୍‌ ଫେରାର୍‌ ହୋଇଯିବା ନେଇ ଯୋଜନା ରଖିଥିଲେ। ହେଲେ ଏଭଳି ଠକେଇ ପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିଛି। ଏନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟପଟେ ବ୍ଲେଜ୍‌ଙ୍କ ଗିରଫ ନେଇ ଆସନ୍ତାକାଲି ନାଇଜେରିଆ ଦୂତାବାସକୁ ଖବର ପଠାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର