ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଟକର ନର୍ସ ନୀହାରିକା ପାତ୍ର ହତ୍ୟା ମାମଲାର ରହସ୍ୟ ଶନିବାର ଉନ୍ମୋଚନ ହେବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ନୀହାରିକାର ଘରେ ଶୋକର ଛାୟା ଖେଳି ଯାଇଛି। ବାପା ଗଗନ ପାତ୍ର କହିଛନ୍ତି, ପରିବାର ଚଳାଇବା ପାଇଁ ନୀହାରିକା ଆର୍ଥିକ ସାହାଯ୍ୟ କରୁଥିଲା। ଝିଅ କମ୍ ଟଙ୍କା ରୋଜଗାର କରୁଥିଲେ ମଧ୍ୟ ପରିବାରର ଆର୍ଥିକ ଅନାଟନ କଥା ବୁଝିପାରୁଥିଲା। ତା’ର ମୃତ୍ୟୁ ହୋଇଯିବା ପରେ ଏବେ ଆମକୁ ଘର ଚଳାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ର କହିଛନ୍ତି, ନୀହାରିକାକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଫାଶୀ ହେଉ। ଅଭିଯୁକ୍ତକୁ ଫାଶୀ ମିଳିଲେ ନୀହାରିକାର ଆତ୍ମା ଶାନ୍ତି ପାଇବ।
Sambad is now on WhatsApp
Join and get latest news updates delivered to you via WhatsApp
ନର୍ସ ନୀହାରିକା ପାତ୍ରଙ୍କୁ ତା’ର ପ୍ରେମିକ କିଶୋର ଆଞ୍ଚଲ ଓରଫ ରାଜା ହତ୍ୟା କରି ଥିବା ଜଗତସିଂହପୁର ଏସ୍ପି ଆର ପ୍ରକାଶ ଶନିବାର ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଏସ୍ପି କହିଛନ୍ତି, ବିବାହ ପ୍ରସ୍ତାବକୁ ନୀହାରିକା ସ୍ୱୀକାର କରି ନ ଥିବାରୁ ରାଜା ପ୍ରତିଶୋଧ ପରାୟଣ ହୋଇ ହତ୍ୟା ପାଇଁ ଯୋଜନା କରିଥିବା ଅନୁମାନ କରାଯାଉଛି। ଦୀର୍ଘ ୫ ବର୍ଷ ଧରି ନୀହାରିକା ଓ ରାଜା ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ମାତ୍ର ରାଜା ବେରୋଜଗାର ହୋଇଥିବାରୁ ବିବାହକୁ ନୀହାରିକା ଗୁରୁତ୍ୱ ଦେଉ ନ ଥିବାରୁ ରାଜା ତା’ ଉପରେ ଅସନ୍ତୁଷ୍ଟ ଥିଲା। ହୁଏତ ଏହି କାରଣ ଲାଗି ନୀହାରିକାକୁ ହତ୍ୟା କରିବା ପାଇଁ ରାସ୍ତା ଖୋଜୁଥିଲା।
ଏସ୍ପି କହିଛନ୍ତି, କଟକରେ ରହୁଥିବା ସାଙ୍ଗ ସୁନିଲ ସାହୁ ସେପ୍ଟେମ୍ବର ୮ ତାରିଖ ଗାଁକୁ ଯାଉଥିବା ବେଳେ ରାଜା ତା’ ଠାରୁ ରାତିକ ଲାଗି ଚାବି ମାଗିଥିଲା। ଘଟଣା ଦିନ ନୀହାରିକାକୁ ସୁନିଲଙ୍କର ଭଡ଼ା ଘରକୁ ନେଇ ଯାଇଥିଲା ଏବଂ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି ନାଲି-କଳା ରଙ୍ଗର ହୋଣ୍ଡା ସାଇନ ବାଇକରେ ଜଗତସିଂହପୁର ଜିଲ୍ଲାର ବିରିଡି ଥାନା ଅଞ୍ଚଳର ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଚାଲି ଯାଇଥିଲା।