ନୂଆଦିଲ୍ଲୀ: ନିକଟରେ ଜଣେ ଅଭିନେତ୍ରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟେରା ୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଅଭିନେତ୍ରୀଙ୍କ ନାମ ନିକିତା ରାୱଲ ବୋଲି ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି, ନିକିତା ରାୱଲଙ୍କ ସହିତ ଏହି ଲୁଟ ଘଟଣା ଦିଲ୍ଲୀର ଶାସ୍ତ୍ରୀ ନଗରରେ ତାଙ୍କ ମାଉସୀଙ୍କ ଘର ନିକଟରେ ଘଟିଛି। ନିକିତା ଦିଲ୍ଲୀ ସୁଟିଂ କାମରେ ଆସିଥିଲେ। ଆଉ ତାଙ୍କ ମାଉସୀଙ୍କ ଘରେ ରହିଥିଲେ। ତେବେ ସେ କୌଣସି କାମରେ ଯାଇ ଘରକୁ ଫେରୁଥିବା ସମୟରେ ୪ଜଣ ଯୁବକ ମୁହଁରେ ମାସ୍କ ପିନ୍ଧି ନିକିତାଙ୍କୁ ବନ୍ଧୁକ ଦେଖାଇ ଅଟକ ରଖିଥିଲେ।
ନିକିତା ଏହି ଘଟଣାକୁ ମନେ ପକାଇ କହନ୍ତି, ‘କିଛି ଯୁବକ ମୁହଁରେ ମାସ୍କ ପିନ୍ଧି ମୋତେ ବାନ୍ଧି ପକାଇ ଥିଲେ। ମୁଁ ଚେଷ୍ଟା କରିଥିଲେ ସେମାନଙ୍କ ସହ ଲଢ଼ି ପାରି ଥାଆନ୍ତି। କିନ୍ତୁ ମୋତେ ଭୟ ଥିଲା କି ସେମାନେ ମୋ ସହ ଦୁଷ୍କର୍ମ ନକରି ଦିଅନ୍ତୁ। କି ଜୀବନରୁ ମାରି ନଦିଅନ୍ତୁ। ଏହି ଭୟରେ ସେମାନେ ଯାହାଯାହା କହିଥିଲେ ମୁଁ କରିବାକୁ ରାଜି ହୋଇ ଯାଇଥିଲି। ଆଉ ମୋ ପାଖରେ ଯାହାଥିଲା ମୁଁ ଦେଇ ଦେଇଥିଲି। ହାତଘଣ୍ଟା, କାନଫୁଲ, ହୀରା ହାର ଓ କିଛି ଟଙ୍କାକୁ ମିଶାଇ ପାଖାପାଖି ୭ଲକ୍ଷ ଟଙ୍କା ହେବ ସେମାନେ ମୋ ଠାରୁ ଲୁଟି ନେଇଥିଲେ। ଲୁଟର ଶିକାର ହେବା ପରେ ଭୟରେ ଘରକୁ ଆସି ଘରର ଚାରିପଟୁ କବାଟ ବନ୍ଦ କରି ଦେଇଥିଲି। ଆଉ ତାର ପରଦିନ ମୁମ୍ବାଇ ଚାଲି ଯାଇଥିଲି। କାରଣ ସେଠାରେ ମୋ ଜୀବନ ପ୍ରତି ବିପଦ ରହିଥିବା ମୁଁ ଜାଣିବାକୁ ପାଇଥିଲି।’
ନିକିତା କିଛିଦିନ ତଳେ ରାଜକୁନ୍ଦ୍ରାଙ୍କ ମାମଲାରେ ଦେଇଥିବା ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ନିକିତା ଶିଳ୍ପା ସେଟ୍ଟୀଙ୍କ ସମର୍ଥନ କରି କହିଥିଲେ ଅଯଥାରେ ତାଙ୍କ ନାମ ଏହି ମାମଲାରରେ ଉଠା ଯାଉଛି।