ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାହିଲ୍ ଗେହ୍ଲଟ୍ଙ୍କ ବାପାଙ୍କ ସମେତ ୫ଜଣଙ୍କୁ କ୍ରାଇମ୍ ବ୍ରାଞ୍ଚ୍ ଗିରଫ କରିଥିବା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଗିରଫ ୫ଜଣଙ୍କ ମଧ୍ୟରେ ଜଣେ ପୁଲିସ କନଷ୍ଟେବଳ ଥିବା ଜଣାଯାଇଛି। ଜାତୀୟ ଗଣମାଧ୍ୟମ ଏନଡିଟିଭି ଅନୁଯାୟୀ, ନିକ୍କି ଯାଦବ ହତ୍ୟା ଘଟଣାରେ ଗିରଫ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳ ଅଛନ୍ତି, ଯିଏ ଏହି ହତ୍ୟାକାଣ୍ଡରେ ସାହିଲ୍ ଗେହ୍ଲଟ୍ଙ୍କୁ ସାହାଯ୍ୟ କରିଥିଲେ। ତେବେ ଅଭିଯୁକ୍ତ କନଷ୍ଟେବଳଙ୍କ ପରିଚୟ ସାମ୍ନାକୁ ଆସିପାରିନାହିଁ।
ପୂର୍ବରୁ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିବା ବେଳେ ସ୍ପେସାଲ୍ ସି. ପି. ରବିନ୍ଦର ଯାଦବ ସୁନିଶ୍ଚିତ କରି କହିଥିଲେ ଯେ, ମୁଖ୍ୟ ଅଭିଯୁକ୍ତ ସାହିଲ୍ ଗେହ୍ଲଟ୍ଙ୍କ ବ୍ୟତୀତ ଦିଲ୍ଲୀ ପୁଲିସ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଷଡ଼ଯନ୍ତ୍ରରେ ସାହିଲ୍ଙ୍କୁ ସହାୟତା କରିଥିବା ଅଭିଯୋଗରେ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରାଯାଇଛି। ନିକ୍କିଙ୍କୁ ପୁଅ ହତ୍ୟା କରିଥିବା କଥା ବାପା ବୀରେନ୍ଦର୍ ସିଂହ ଜାଣିଥିଲେ ବୋଲି ପୁଲିସ ଜାଣିବା ପରେ ତାଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ‘ଲିଭ୍-ଇନ୍’ରେ ରହୁଥିବା ସାହିଲ୍ ଓ ନିକ୍କି ୨୦୨୦ ଅକ୍ଟୋବରରେ ନଏଡ଼ାସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ। ଏ ବିବାହରେ ସାହିଲ୍ଙ୍କ ପରିବାର ଖୁସି ନ ଥିଲେ। ଜେରା ବେଳେ ସାହିଲ୍ ସ୍ବୀକାର କରିଥିଲା ଯେ, ଫେବ୍ରୁଆରି ୧୦ ତାରିଖ ରାତି ୮.୩୦ରୁ ୯.୩୦ ଭିତରେ ନିଗମ ବୋଧ ଘାଟସ୍ଥିତ ପାର୍କିଙ୍ଗ୍ ଲଟ୍ରେ ଗୋଟାଏ ଚାର୍ଜିଙ୍ଗ୍ କେବଲ୍ରେ ନିକ୍କିଙ୍କ ବେକକୁ ଭିଡ଼ି ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା। ଏହା ପରେ ୫ଜଣ ମିଶି ନିକ୍କିଙ୍କ ମୃତଦେହକୁ ଫ୍ରିଜରେ ରଖିଥିଲେ। ବିବାହ ସରିଥିଲେ ନିକ୍କିଙ୍କ ମୃତଦେହକୁ ଫ୍ରିଜରୁ କାଢ଼ି ଜଙ୍ଗଲରେ ଫିଙ୍ଗିବାର ଯୋଜନା ୫ଜଣ ଅଭିଯୁକ୍ତ କରିଥିଲେ। ହେଲେ ସେଥିରେ ସଫଳ ହୋଇପାରିନଥିଲେ।