ଜାଣନ୍ତୁ ଏବେ କେଉଁଠି ଓ କିଭଳି ଜୀବନ ବିତାଉଛି ନିର୍ଭୟା ଗଣଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ନାବାଳକ?
ନୂଆଦିଲ୍ଲୀ: ୭ବର୍ଷ ପୂର୍ବେ ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟା ସହ ଗଣଦୁଷ୍କର୍ମ କରିଥିଲେ ୬ଜଣ ଅଭିଯୁକ୍ତ। ଏବେ ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଫାଶୀ ହେବାକୁ ଯାଉଥିବା ବେଳେ ଲୋକେ ଦିନ ଗଣିବା ଆରମ୍ଭ କରିଛନ୍ତି। ତେବେ ୬ଜଣଙ୍କ ମଧ୍ୟରୁ ଜଣେ ବସର ଚାଳକ ଥିବା ବେଳେ ଜେଲରେ ଥିବା ସମୟରେ ସେ ଆତ୍ମହତ୍ୟା କରିଥିଲା। ଏହା ସହ ସେହି ବସରେ ସଫେଇ କାମ କରୁଥିବା ଦୋଷୀକୁ ୧୮ବର୍ଷ ହୋଇ ନ ଥିବାରୁ ତାକୁ ଜେଲ ପଠା ନ ଯାଇ ବାଳସୁଧାର ଗୃହକୁ ପଠାଯାଇଥିଲା। ତେବେ ୨୦୧୬ ପରେ ସୁଧାର ଗୃହରୁ ବାହାରି ଦୋଷୀ ନାବାଳକ ଏବେ କେଉଁଠି ରହୁଛି ଓ କ’ଣ କରୁଛି? ତାହା ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନିର୍ଭୟା ସହ ନାବାଳକଜଣଙ୍କ ଅଧିକ କ୍ରୁରତା କରିଥିଲେ ମଧ୍ୟ ସେ ସମୟର ଆଇନ ଅନୁଯାୟୀ ତାକୁ ଜେଲ ପଠା ଯାଇ ନ ଥିଲା। ୧୮ବର୍ଷ ହୋଇ ନଥିବାରୁ ତାକୁ ସୁଧାର ଗୃହକୁ ପଠାଯାଇଥିଲା। ସେଠାରେ କିଛି ବର୍ଷ ରହିବା ପରେ ନାବାଳକ ୨୦୧୬ରେ ବାହାରକୁ ବାହାରିଥିଲା। ବାହାରକୁ ଆସିବା ପରେ ଏବେ ସେ ଦକ୍ଷିଣ ଭାରତର କୌଣସି ଏକ ରାଜ୍ୟରେ ରହି ରୋଷେଇ କାମ କରୁଥିବା ଜଣାପଡ଼ିଛି। ଏବେ ତାକୁ ୨୪ବର୍ଷ ହୋଇ ଯାଇଥିବା ବେଳେ ନିଜର ନାଁ ବଦଳାଇ ନୂଆ ଜୀବନ ଆରମ୍ଭ କରିଛି।
ଜଣେ ଏନଜିଓ ଅଧିକାରୀଙ୍କ କହିବା ମୁତାବକ, ଯୁବକଜଣଙ୍କ ନିଜର ନାଁ ବଦଳାଇବା ସହ ଏବେ ଦିଲ୍ଲୀ ଏନସିଆରରୁ ବହୁତ ଦୂରରେ ରହୁଛି। ସେ ଯେଉଁଠି କାମ କରୁଛି, ସେଠାକାର ଲୋକେ ସେ ଅତୀତରେ କରିଥିବା ଅପରାଧ ବିଷୟରେ କିଛି ବି ଜାଣି ନାହାନ୍ତି। କାରଣ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ସେ ସମୟରେ ନାବାଳକ ଥିବାରୁ ତାହାର କୌଣସି ଫଟୋ ସାମ୍ନାକୁ ଆସି ନଥିଲା। ଯାହା ପାଇଁ ପ୍ରକୃତରେ ସେ କିଭଳି ଦିଶେ, ତାହା ଏ ପର୍ଯ୍ୟନ୍ତ କେହି ବି ଜାଣି ନାହାନ୍ତି।