ମଧେପୁରା: ବିହାରର ମଧେପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିର୍ବାଚନ କମିଶନ କର୍ମଚାରୀଙ୍କ ଅବହେଳା ଜଣେ ମହିଳାଙ୍କୁ ଚିନ୍ତାରେ ପକାଇ ଦେଇଛି।
ମଧେପୁରା ସହରର ଜୟପାଲପଟ୍ଟି ଅଞ୍ଚଳର ଜଣେ ମହିଳାଙ୍କ ଭୋଟର ପରିଚୟପତ୍ରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଥିବା ଘଟଣା ନିର୍ବାଚନ କମିଶନ ବିରୋଧରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚନ୍ଦନ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କ ଧର୍ମପତ୍ନୀଙ୍କ ଭୋଟର ପରିଚୟପତ୍ର ନେଇ ଗଣମାଧ୍ୟମ ନିକଟରେ ପହଞ୍ଚିଥିଲେ। ଏହି ଭୋଟର ପରିଚୟପତ୍ରରେ ତାଙ୍କ ସ୍ତ୍ରୀଙ୍କ ଫଟୋ ବଦଳରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଫଟୋ ଥିବା ନେଇ ସେ ସମସ୍ତଙ୍କୁ ଦେଖାଇଥିଲେ। ଏହି ଭୁଲ ବିଷୟରେ ସେ ଯେତେବେଳେ ସମ୍ପୃକ୍ତ ବିଏଲଓଙ୍କ ପାଖକୁ ଯାଇଥିଲେ, ବିଏଲଓ ତାଙ୍କୁ ଏ ବିଷୟରେ କାହାକୁ କିଛି ନ କହିବାକୁ ପରାମର୍ଶ ଦେଇଥିବା ଚନ୍ଦନ ଅଭିଯୋଗ କରି କହିଛନ୍ତି।
ତେବେ ଏପରି ଭୁଲ ନିର୍ବାଚନ କମିଶନଙ୍କ ପ୍ରତିନିଧି ଅର୍ଥାତ୍ ଭୋଟର ପରିଚୟପତ୍ର ପ୍ରସ୍ତୁତ କରୁଥିବା ସଂସ୍ଥା କିମ୍ବା କର୍ମଚାରୀଙ୍କ ଅବହେଳାକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ଚନ୍ଦନ କୁମାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି କହିଛନ୍ତି, ‘ଭବିଷ୍ୟତରେ ଯେପରି କୌଣସି ଭୋଟରଙ୍କ ସହିତ ଏପରି ଭୁଲ ନହେଉ ସେଥିପାଇଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।’
ଚନ୍ଦନ ପ୍ରଶ୍ନ ଉଠାଇ କହିଛନ୍ତି,‘ ସାଧାରଣତଃ ଭୁଲରେ ଭୋଟର ପରିଚୟପତ୍ରରେ ଜଣେ ଅଜଣା ବ୍ୟକ୍ତିଙ୍କ ଫଟୋ ଛାପି ଦିଆଯାଇଥାଏ, କିନ୍ତୁ ଜଣେ ସାଧାରଣ ମହିଳାଙ୍କ କାର୍ଡରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବା ନିଶ୍ଚିତ ଭାବେ ଏକ ବଡ଼ ଭୁଲ ବୋଲି ଧରାଯିବ।