ପବଜୀ ପାଇଁ ମା’କୁ ହତ୍ୟା ଘଟଣା: ମୁଁ ପଶ୍ଚାତାପ କରୁନାହିଁ, ଫାଶୀ ପାଇଁ ପ୍ରସ୍ତୁତ ବୋଲି କହିଲା ପୁଅ

ଲକ୍ଷ୍ନୌ: କିଛି ଦିନ ତଳେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପବଜୀ ଖେଳିବାକୁ ରୋକୁଥିବାରୁ ମା’କୁ ହତ୍ୟା କରିଥିଲା ନାବାଳକ ପୁଅ। ଏହି ଘଟଣା ପରେ ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଥିବା ବେଳେ ଏବେ ତାକୁ ସୁଧାର ଗୃହରେ ରଖାଯାଇଛି। ତେବେ ହତ୍ୟା ସମୟରେ ଅଭିଯୁକ୍ତ ପୁଅ କୌଣସି ପଶ୍ଚାତାପ କରୁନଥିବା ବେଳେ ହତ୍ୟା ପରେ ବି ଅଭିଯୁକ୍ତ କୌଣସି ପଶ୍ଚାତାପ କରୁନଥିବା ଜଣାପଡ଼ିଛି। ଏପରିକି ଅଭିଯୁକ୍ତ ଫାଶୀ ଦଣ୍ଡ ପାଇଁ ମଧ୍ୟ ପ୍ରସ୍ତୁତ ଥିବା କହିଛି।

ଅଭିଯୁକ୍ତକୁ ଯେତେବେଳେ ମାଜିଷ୍ଟ୍ରେଟ ପଚାରିଥିଲେ ଯେ, ନିଜ ମା’ଙ୍କୁ କାହିଁକି ହତ୍ୟା କଲ? ତୁମକୁ ଡର ଲାଗୁ ନାହିଁ କି? ଏହାର ଜବାବରେ ଅଭିଯୁକ୍ତ କହିଥିଲା, ହତ୍ୟାର ସର୍ବାଧିକ ଦଣ୍ଡ ହେଉଛି ମୃତ୍ୟୁଦଣ୍ଡ ଏବଂ ମୁଁ ଏହାର ସାମ୍ନା କରିବାକୁ ପ୍ରସ୍ତୁତ ଅଛି। ମୁଁ ମୋ ମାଙ୍କୁ ପିସ୍ତଲରେ ହତ୍ୟା କରିଥିଲି ଏବଂ ରାତିସାରା ମୋର ସାଙ୍ଗମାନଙ୍କ ସହ ପାର୍ଟି ମଧ୍ୟ କରିଥିଲି।

ଉଲ୍ଲେଖଯୋଗ୍ୟ, ଘଟଣାଟି ଘଟିଥିଲା ଉତ୍ତରପ୍ରଦେଶର ଲକ୍ଷ୍ନୌ‌ରେ। ଅଭିଯୁକ୍ତ ପୁଅ ଶନିବାର ପବଜୀ ଖେଳୁଥିବା ବେଳେ ତାଙ୍କ ମା’ ତାଙ୍କୁ ରାଗିଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ପୁଅ ମା’ ଶୋଇଥିବା ବେଳେ ବାପାଙ୍କ ବନ୍ଧୁକ ଆଣି ମା’ଙ୍କୁ ଗୁଳି ମାରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ପାଖରେ ଶୋଇଥିବା ଭଉଣୀ ଉଠିପଡ଼ିବାରୁ ତାକୁ ଅନ୍ୟ ଏକ ରୁମରେ ବନ୍ଦ କରିଦେଇଥିଲା ଅଭିଯୁକ୍ତ। ଏହା ପରେ ମା’ର ମୃତଦେହ ପଡ଼ିଥିବା ରୁମକୁ ଚାବି ପକାଇ ରବିବାର ସକାଳୁ କ୍ରିକେଟ ଖେଳିବାକୁ ଚାଲିଯାଇଥିଲା ଅଭିଯୁକ୍ତ। କ୍ରିିକେଟ ଖେଳିି ସାରି ଅଭିଯୁକ୍ତ ନିଜର ଦୁଇ ସାଙ୍ଗଙ୍କୁ ଘରକୁ ଆଣି ପାର୍ଟି କରିଥିଲା। ସାଙ୍ଗମାନେ ଯିବା ପରେ ଶବ ପଡ଼ିଥିବା ରୁମରୁ ଦୁର୍ଗନ୍ଧ ବାହାରୁଥିବାରୁ ଅଭିଯୁକ୍ତ ରୁମ ଫ୍ରେସନର ସ୍ପ୍ରେ କରିଥିଲା। ହେଲେ ମଙ୍ଗଳବାର ଶବ ଶଢ଼ିଯିବାରୁ ବାଧ୍ୟ ହୋଇ ଅଭିଯୁକ୍ତ ସେନାରେ ଥିବା ନିଜ ବାପାଙ୍କୁୁ କଲ୍ କରିଥିଲା। ଫୋନ କରି ମା’ଙ୍କୁ କେହି ହତ୍ୟା କରିଦେଇଥିବା ନିଜ ବାପାଙ୍କୁ ଜଣାଇଥିଲା ଅଭିଯୁକ୍ତ। ଏହି ସୂଚନା ପାଇ ଲକ୍ଷ୍ନୌରେ ଥିବା ନିଜ ଭାଇ ଓ ପୁଲିସକୁ ସୂଚନା ଦେଇଥିଲେ ଅଭିଯୁକ୍ତର ବାପା। ପ୍ରଥମେ ଅନ୍ୟ କେହି ହତ୍ୟା କରିଛି ବୋଲି ପୁଲିସ ଭାବୁଥିବା ବେଳେ ପରେ ସବୁ ସତ ସାମ୍ନାକୁ ଆସିଥିଲା। ଘଟଣା ବିଷୟରେ ପଚରାଯିବା ପରେ ଅଭିଯୁକ୍ତର ଭଉଣୀ ସବୁ ସତ ପୁଲିସକୁ ଜଣାଇଥିଲେ।

ସମ୍ବନ୍ଧିତ ଖବର