ନୋଏଡା: ଓୟୋରେ ହେଲା ପ୍ରେମର ପୂର୍ଣ୍ଣଛେଦ। ବିବାହିତା ପ୍ରେମିକାକୁ ହତ୍ୟା କଲା ଯୁବକ। ଅନୈତିକ ସମ୍ପର୍କର ଘଟିଲା ଅନ୍ତ। ଉତ୍ତରପ୍ରଦେଶର ନୋଏଡାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ନୋଏଡାରେ ଥିବା ଓୟୋ ହୋଟେଲକୁ ନିଜ ପ୍ରେମିକଙ୍କୁ ଭେଟିବାକୁ ଆସିଥିବା ମହିଳାଙ୍କ ସହ ଏଭଳି କିଛି ଘଟିବ ବୋଲି ତାଙ୍କୁ ଜଣାନଥିଲା। ପ୍ରେମ କରୁଥିବା ମନର ମଣିଷ ତାଙ୍କ ଜୀବନ ନେଇଯିବ ବୋଲି ମହିଳା ଭାବିନଥିଲେ। ତେବେ ଏହି ହତ୍ୟାକାଣ୍ଡ ପ‌ରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରେମିକକୁ ଗିରଫ କରିଛି।

Advertisment

ମିଳିଥିବା ସୂଚନା ମୁତାବକ, ମୃତ ମହିଳା ନିଜ ସ୍ବାମୀ ଓ ୨ସନ୍ତାନଙ୍କ ସହ ନୋଏଡାରେ ରହୁଥିଲେ। ବିବାହ ପରେ ମହିଳାଙ୍କର ନିଜ ସମ୍ପର୍କୀୟ ସୋନୁଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ସୋନୁଙ୍କ ବିବାହ ସ୍ଥିର ହେବା ଜାଣି ମହିଳାଜଣକ ତାଙ୍କୁ ଦେଖା କରିବାକୁ ଶୁକ୍ରବାର ଓୟୋ ଯାଇଥିଲେ। ଦିନ ୧୨.୩୦ରେ ମହିଳା, ସୋନୁଙ୍କୁ ଭେଟିବା ପାଇଁ ସେକ୍ଟର ୬୩ରେ ଥିବା ଓୟୋ ହୋଟେଲକୁ ଯାଇଥିବା ବେଳେ ସେଠାରେ ସୋନୁଙ୍କ ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଝଗଡା ବଢ଼ିବାରୁ ସୋନୁ ରାଗିଯାଇ ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ସୂଚନା ପାଇବା ପରେ ପୁଲିସ ଓୟୋ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣା ବିଷୟରେ ଜାଣି ମହିଳାଙ୍କ ସ୍ବାମୀ ସୋନୁ ବିରୋଧରେ ଏତଲା ଦେବାରୁ ପୁଲିସ ସୋନୁକୁ ଗିରଫ କରିଛି।