ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ଭାବୁ ଥାଇ ପାରନ୍ତି ସାଧାରଣତଃ ପ୍ରେମିକମାନେ ତ ନିଜ ପ୍ରେମିକା ପାଇଁ ଖର୍ଚ୍ଚ କରିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଜଣେ ବ୍ୟକ୍ତି ନିଜ ପ୍ରେମିକା ପାଇଁ କରୁଥିବା ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ତାଙ୍କୁ ନେଇ ଅଷ୍ଟ୍ରେଲିଆରେ ଛାଡ଼ି ଦେଇ ଆସିଥିଲେ।
ସୂଚନାଯୋଗ୍ୟ, ନୋଏଡାରେ ବସବାସ କରୁଥିବା ୩୨ବର୍ଷିଅ ବ୍ୟବସାୟୀ ଲକ୍ଷ୍ମୀକାନ୍ତ ଦୁଇବର୍ଷ ପୂର୍ବେ ସେକ୍ଟର ୭୦ରେ ମୋବାଇଲ ସାମଗ୍ରୀର ଏକ କମ୍ପାନି ଖୋଲିଥିଲେ। ଏହି କମ୍ପାନିରେ ଲକ୍ଷ୍ମୀକାନ୍ତଙ୍କ ପ୍ରେମିକା ଲକ୍ଷାଧିକ ଟଙ୍କା ନିବେଶ କରିବା ସହିତ କାମ ବି କରୁଥିଲା। ପ୍ରଥମେ ପ୍ରଥମେ ସବୁକିଛି ଠିକ୍ ଥିଲା। କିଛିଦିନ ପରେ କମ୍ପାନି କ୍ଷତି ସହିବାକୁ ଲାଗିଲା। ଲକ୍ଷ୍ମୀକାନ୍ତଙ୍କ ଏଭଳି ପରିସ୍ଥିତି ଆସିଲା ଯେ ସେ ନିଜର ପ୍ରେମିକା ରହୁଥିବା ଘରକୁ ବିକ୍ରି କରିବାକୁ ବି ପଛାଇ ନଥିଲେ। ଏଭଳି ସ୍ଥିତିରେ ସେ ଆଉ ନିଜ ପ୍ରେମିକା ସହିତ ରହିବାକୁ ଚାହିଁଲେ ନାହିଁ।
ଶେଷର ସେ ପ୍ରେମିକାକୁ ବିଜନେସ୍ ଟ୍ରିପ୍ର ବାହାନା ଦେଖାଇ ଅଷ୍ଟ୍ରେଲିଆ ବୁଲାଇବାକୁ ନେଇଥିଲେ। ଆଶ୍ଚର୍ଯ୍ୟର କଥା ୨୦ଦିନ ସେଠାରେ ରହିବା ପରେ ଲକ୍ଷ୍ମୀକାନ୍ତ ନିଜ ପ୍ରେମିକାକୁ ସେଠାରେ ହିଁ ଛାଡ଼ି ଚାଲି ଆସିଥିଲେ।
କେବଳ ଏତିକି ନୁହେଁ କାଳେ ତାଙ୍କ ପ୍ରେମିକା ଫେରି ଆସିବ ସେଥିପାଇଁ ହାତରେ ଟଙ୍କାଟିଏ ବି ଦେଇ ନଥିଲେ। ତେବେ କୌଣସି ପ୍ରକାରେ ଲକ୍ଷ୍ମୀକାନ୍ତଙ୍କ ପ୍ରେମିକା ଫେରି ଆସିଥିଲା। ଅଷ୍ଟ୍ରେଲିଆରୁ ଫେରିବା ପରେ ଲକ୍ଷ୍ମୀକାନ୍ତ ଆଉ ତାଙ୍କ ପ୍ରେମିକାକୁ ଚିହ୍ନନ୍ତି ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।
ଏହାପରେ ଯୁବତୀ ଲକ୍ଷ୍ମୀକାନ୍ତ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଏକବର୍ଷ ହେବ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ପୁଲିସରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଥିଲା। ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୫୪ରେ ମାମଲା ରୁଜୁ କରାଯାଇଛି।