ନୂଆଦିଲ୍ଲୀ: ନୋଏଡା ପୁଲିସ ୬ବର୍ଷ ଶିଶୁର ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛି। ଜଣେ ମା’ ନିଜର ୬ବର୍ଷ ଶିଶୁକୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି। ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ସ୍ବାମୀଙ୍କୁ ଫସାଇବା ପାଇଁ ଝିଅ ନିଖୋଜ ହୋଇ ଯାଇଥିବା ନେଇ ପୁଲିସରେ ମାମଲା ରୁଜୁ କରିଥିଲେ।
ନୋଏଡା ପୁଲିସର କହିବାନୁସାରେ, ଗତ ନଭେମ୍ବର ୧୨ରେ ନୋଏଡାର ସେକ୍ଟର-୯୩ରେ ଜଣେ ଶିଶୁର ମୃତଦେହ ଜବତ ହୋଇଥିଲା। ପୁଲିସ ଉକ୍ତ ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରି ଦେଇଥିଲା। ଯାଞ୍ଚରୁ ଜଣାପଡ଼ିଥିଲା କି ମୃତ ଶିଶୁର ନାମ ନେହା ଶର୍ମା। ଶିଶୁର ବୟସ ୬ବର୍ଷ ଭିତରେ ହେବ।
ଏହି ଘଟଣାରେ ସମ୍ପୃକ୍ତ ଥିବା ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାଙ୍କ ନାମ ଅନୁରାଧା ବୋଲି ଜଣାପଡ଼ିଛି। ଯାଞ୍ଚରୁ ଜଣାପଡ଼ିଛି କି ମୃତକ ଶିଶୁର ମା’ ଅନୁରାଧା ରାମକୁମାରଙ୍କୁ ବିବାହ କରିଥିଲେ। କିନ୍ତୁ ରାମ କୁମାର ୨୦୧୦ରେ ଦ୍ବିତୀୟ ବିବାହ କରିଥିଲେ।
ତେବେ ସେକ୍ଟର-୯୩ ନୋଏଡାରେ ରାମ କୁମାରଙ୍କ ଘର ରହିଛି। ଏହି ଘରକୁ ସେ ତାଙ୍କ ପରିବାରଲୋକଙ୍କୁ ଦେବାକୁ ସ୍ଥିର କରିଥିଲେ। ଏଭଳି ସମୟରେ ଅନୁରାଧା ଝିଅକୁ ହତ୍ୟା କରି ଏହି ଘଟଣାରେ ସ୍ବାମୀଙ୍କୁ ଫସାଇ ଉକ୍ତ ଘରକୁ ନିଜ ନାମରେ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କର କୌଣସି ଯୋଜନା ସଫଳ ହୋଇ ନଥିଲା। ପୁଲିସ ସମ୍ମୁଖରେ ଅନୁରାଧା ନିଜ ଦୋଷକୁ ବି ସ୍ବୀକାର କରିଥିଲେ।