ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ବେଳର ଭିଡିଓ ଭାଇରାଲ୍‌ ହେବା ପରେ ସବ୍‌-ଇନ୍‌ସ୍ପେକ୍ଟର ନିଲମ୍ବିତ

ନୋଇଡ଼ା: ଘରୋଇ ହିଂସାକୁ ନେଇ ଯେତେ ସଚେତନତାମୂଳକ ବାର୍ତ୍ତା ପ୍ରକାଶ ପାଇଲେ ବି ଏହା କିନ୍ତୁ ଥମିବାର ନାଁ ଧରୁନି। ପ୍ରତିଦିନ ଘରୋଇ ହିଂସାର ଉଦାହରଣ ଦେଶର ବିଭିନ୍ନ ପ୍ରାନ୍ତଃରେ ଦେଖିବାକୁ ମିଳୁଛି। କେଉଁ ନାରୀଟିଏ ଶାଶୁ, ଶଶୁର, ଦିଅର ଓ ନଣନ୍ଦଙ୍କ ନିର୍ଯାତନାର ଶିକାର ହେଉଛି ତ ପୁଣି କେଉଁଠି ନିର୍ଯାତନା ଦେଉଛି ନିଜ ସ୍ବାମୀ।

ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୋଇଡ଼ାଠାରେ। ଜଣେ ସବ୍‌-ଇନ୍‌ସ୍ପେକ୍ଟର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ତାଙ୍କୁ ଗୌତମ ନଗରର ପୁଲିସ୍‌ମକିସନର ନିଲମ୍ବିତ କରିଥିବା ଜାଣିବାକୁ ମିଳିଛି।

‌ଗ୍ରେଟର ନୋଇଡାରୁ ଭାଇରାଲ୍‌ ହୋଇଥିବା ଏହି ଭିଡିଓଟି ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ନିଲମ୍ବିତ ସବ୍‌-ଇନ୍‌ସ୍ପେକ୍ଟର ଜଣକ ହେଉଛନ୍ତି ବିକାଶ ଚୌହ୍ବାନ। ଭିଡିଓରେ ଦେଖିବାକୁ ମିଳିଛି ଯେ ବିକାଶ ପଞ୍ଚସିଲ୍‌ ହିନିସ୍‌ ସୋସାଇଟ୍‌ରେ ରହୁଥିଲେ। ସେହି ସୋସାଇଟି ପରିସରରୁ ହିଁ ଭିଡିିଓଟି ଭାଇରାଲ୍‌ ହୋଇଥିବା ଜାଣିବାକୁ ମିଳିଛି।

ସବ୍‌-ଇନ୍‌ସ୍ପେକ୍ଟର ଜଣକ ନିଜ ପତ୍ନୀଙ୍କୁ ମାରଧର କରୁଥିବା ବେଳେ ଯେତେବେଳେ ସୋସାଇଟ୍‌ର ସୁରକ୍ଷାକର୍ମୀ ମହିଳାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ବ୍ୟକ୍ତି ଜଣକ ସୁରକ୍ଷାକର୍ମୀଙ୍କୁ ପିସ୍ତଲ ଦେଖାଇ ଡ‌ରାଇବା ଦୃଶ୍ୟ ଭିଡିଓରେ କଏଦ ହୋଇଛି।

ସୋସାଇଟ୍‌ର ଜଣେ ବାସିନ୍ଦା ପୁଲିସ୍‌ରେ ବୟାନ ଦେଇ କହିଛନ୍ତି ଯେ ବିକାଶ ଚୌହ୍ବାନ ଯେତେବେଳେ ଅବିବାହିତ ଥିଲେ ସେ ସେଠାରେ ରହୁଥିବା ଅନ୍ୟ ମହିଳାଙ୍କ ସହ ବି ଏପରି ଦୁର୍ବ୍ୟବହାର କରୁଥିଲେ।

ଏ ନେଇ ଡିସିପି କହିଛନ୍ତି ବିକାଶ ଚୌହ୍ବାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର