ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଜଣେ ପ୍ରବାସୀ ଭାରତୀୟ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଜଣଙ୍କ ମାଟ୍ରିମୋନିଆଲ ସାଇଟ୍‌ରେ ଦେଖା ହେବା ପରେ ପୀଡ଼ିତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ହୋଟେଲ ରୁମ୍‌କୁ ଡ଼ାକି ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣାଟି ଡିସେମ୍ବର ୧୨, ୨୦୧୭ରେ ଘଟିଥିବା ବେଳେ ପୀଡ଼ିତା ଏ ନେଇ ମାର୍ଚ୍ଚ ୨୭, ୨୦୧୮ରେ ଦିଲ୍ଲୀ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୁଲିସ ।

Advertisment

publive-image oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତା ମାଟ୍ରିମୋନିଆଲ ସାଇଟ୍‌ ମାଧ୍ୟମରେ ପ୍ରବାସୀ ଭାରତୀୟ ଯୁବକ ରବିନ୍ଦର ସିଂହଙ୍କ ସହ ସଂପର୍କରେ ଆସିଥିଲେ । ରବିନ୍ଦର ପଞ୍ଜାବର ଜଲନ୍ଧର ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ପୀଡ଼ିତାଙ୍କୁ ଦେଖା କରିବାକୁ ହୋଟେଲକୁ ଡ଼ାକିଥିଲେ ରବିନ୍ଦର । ଏହା ପରେ ନିଶା ଦେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ସବୁ ଜାଣି ପୀଡ଼ିତା ରାଗିଯିବାରୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦିଲ୍ଲୀରେ ଛାଡ଼ି ଚାଲି ଯାଇଥିଲେ ରବିନ୍ଦର ।

କିଛି ଦିନ ଅପେକ୍ଷା କରିବା ପରେ ରବିନ୍ଦର ବିବାହିତ ବୋଲି ଜାଣି ପାରିବା ସହ ଆମେରିକାରେ ସେ ସୁରକ୍ଷାଗାର୍ଡ ଭାବେ କାମ କରୁଥିବା ଜାଣିବାକୁ ପାଇଥିଲେ ପୀଡ଼ିତା । ସବୁ ଜାଣିବା ପରେ ମାର୍ଚ୍ଚ ୨୭, ୨୦୧୮ରେ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ରବିନ୍ଦରଙ୍କୁ ଖୋଜିବାରେ ଲାଗି ପଡ଼ିଥିଲା । ଏ ନେଇ ଅନେକ ଥର ତାଙ୍କ ଘରେ ଏବଂ ଗାଁରେ ଛାପା ମରା ଯାଇଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇ ପାରି ନଥିଲା । ପରେ ସେ ଆମେରିକା ଫେରୁଥିବା ଜାଣି ଦିଲ୍ଲୀ ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ବରିଷ୍ଠ ପୁଲିସ ଅଧିକାରୀ ।