କୁଖ୍ୟାତ ନକୁଳ ନାଁରେ ଏନ୍‌ଏସ୍‌ଏ

ସମ୍‌ ବାଉନ୍‌ସରଙ୍କୁ ଗୁଳିମାଡ଼ ମାମଲା

ଖଣ୍ଡଗିରି: କୁଖ୍ୟାତ ଅପରାଧୀ ନକୁଳ ମହାକୁଡ଼ ନାଁରେ କମିସନରେଟ୍‌ ପୁଲିସ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲାଗୁ କରିଛି। ସ୍ଥାନୀୟ ସମ୍‌ ହସ୍ପିଟାଲର ବାଉନ୍‌ସର ପବିତ୍ର ସେଠୀଙ୍କୁ ହୋଇଥିବା ଗୁଳି ମାଡ଼ ମାମଲାରେ ଗିରଫ ହୋଇ ସେ ଏବେ ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ରହିଛି। ଏନ୍‌ଏସ୍‌ଏ ଲାଗୁ ହେବା ପରେ ନକୁଳକୁ ଆଉ ସହଜରେ ଜାମିନ୍‌ ମିଳିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ନକୁଳ ନାଁରେ କମିସନରେଟ୍‌ ପୁଲିସର ବିଭିନ୍ନ ଥାନାରେ ଦାଦାବଟି ଆଦାୟ, ଚୋରା ବନ୍ଧୁକ କାରବାର ଭଳି ବହୁ ସଂଗିନ୍‌ ମାମଲା ଥିବାବେଳେ ପୁଣି ଗୁଳିକରି ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବାରୁ ପୁଲିସ ତା ବିରୋଧରେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି।

ନଭେମ୍ବର ୧୭ ତାରିଖରେ ନକୁଳ ସମ୍‌ ହସ୍ପିଟାଲର ବାଉନ୍‌ସର ପବିତ୍ର ସେଠୀଙ୍କୁ ଗୁଳିମାଡ଼ କରିଥିଲା। ଏହା ପୂର୍ବରୁ ତା’ ନାଁରେ ଚନ୍ଦକା ଥାନାରେ ୪ଟି, ଖଣ୍ଡଗିରିରେ ୩ଟି ଓ ଖାରବେଳନଗର ଥାନାରେ ଗୋଟିଏ ଅପରାଧିକ ମାମଲା ଥିଲା। ୨୦୧୪ ମସିହାରେ ସେ ଖାରବେଳନଗର ଅଞ୍ଚଳର ଏକ ହୋଟେଲରୁ ଗିରଫ ହୋଇଥିଲା ଓ ପୁଲିସ ତା’ ନିକଟରୁ ଏକ ପିସ୍ତଲ ଜବତ କରିଥିଲା। ତେଣୁ ଚୋରା ବନ୍ଧୁକ କାରବାରରେ ଜଡ଼ିତ ଥିବା ଅପରାଧରେ ଖାରବେଳନଗର ଥାନା ପୁଲିସ ତାକୁ ଗିରଫ କରିଥିଲା। ଏହା ପରେ ନକୁଳ ଚନ୍ଦକା ଥାନା ଅଞ୍ଚଳରେ ପାଲଟି ଯାଇଥିଲା ଡନ୍‌। ନିଜେ ଏକ ବାଉନ୍‌ସର ହେବା ସହ କିଛି ବାଉନ୍‌ସର ପିଲାଙ୍କୁ ହାତରେ ରଖି ସେ ସେମାନଙ୍କୁ ବିଭିନ୍ନ ସଂସ୍ଥାରେ ନିୟୋଜିତ କରିଥିଲା। ସେଥରୁ ତାକୁ ଯେତିକି ମୁନାଫା ମିଳୁଥିଲା, ସେତିକି ତା’ ଅପରାଧ ସାମ୍ରାଜ୍ୟ ଶକ୍ତିଶାଳୀ ହେବାରେ ଲାଗିଥିଲା। ବିଲ୍‌ଡରମାନଙ୍କ ପାଇଁ କାମ କରି ଜମିବାଡ଼ି ଜବରଦଖଲ କରିବା ଓ ଅନ୍ୟକୁ ଜୋର୍‌ ଜବରଦସ୍ତ ଜମିରୁ ବେଦଖଲ କରିବା ଭଳି ମାମଲାରେ ସେ ପ୍ରଚୁର ଅର୍ଥ ପାଇଲା। କମ୍‌ ବୟସରୁ ସେ ରାଜଧାନୀର କିଛି ଅଣ୍ଡରଗ୍ରାଉଣ୍ଡ ଡନ୍‌ମାନଙ୍କ ସହ ସମ୍ପର୍କ ବଢ଼ାଇ ପାରିଥିଲା। ଭୟରେ କେହି ତା ବିରୋଧରେ ମୁହଁ ଖୋଲୁନଥିଲେ ବି ପୁଲିସ ରେକର୍ଡରେ ନକୁଳର କାରନାମା ଲିପିବଦ୍ଧ ହୋଇ ରହୁଥିଲା। ମାତ୍ର ଅଭିଯୋଗ ନ ପାଇ ପୁଲିସ ହାତବାନ୍ଧି ବସିବାକୁ ବାଧ୍ୟ ହେଉଥିଲା। ଗତ ମାସ ୧୭ ତାରିଖ ଦିନ ସାମାନ୍ୟ କଥାକୁ କେନ୍ଦ୍ର କରି ନକୁଳ ସମ ହସ୍ପିଟାଲରେ ବାଉନ୍‌ସର ପବିତ୍ର ସେଠୀଙ୍କୁ ୨ ରାଉଣ୍ଡ ଗୁଳି ମାଡ଼ କରିଥିଲା। ପେଟକୁ ଲକ୍ଷ୍ୟ କରି ଗୁଳି ମାଡ଼ କରିଥିଲେ ବି ସୌଭାଗ୍ୟକୁ ପବିତ୍ର ବଞ୍ଚି ଯାଇଥିଲେ। ପୁଲିସ ନକୁଳକୁ ଗିରଫ କରିବା ପୂର୍ବରୁ ୧୮ ତାରିଖ ଦିନ ନକୁଳ କୋର୍ଟରେ ଆତ୍ମସମର୍ପଣ କରିଥିଲା। ଏହା ପରେ ପୁଲିସ ତାକୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା। ୨୩ ତାରିଖରେ ତା’ର ରିମାଣ୍ଡ ସରିଗଲା ସିନା, ପୁଲିସ କିନ୍ତୁ ତା’ଠାରୁ ୧୭ ତାରିଖରେ ସେ ବ୍ୟବହାର କରିଥିବା ପିସ୍ତଲ ଜବତ କରିପାରିନଥିଲା।

ଗତ ୩ ବର୍ଷ ଭିତରେ ପୁଲିସ କିଛି ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି ସିନା କାହାକୁ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇନଥିଲା। ୪ ବର୍ଷ ପୂର୍ବେ ଜଟଣୀର କାଳିଆ ସୁନ୍ଦରାୟକୁ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇଥିଲା। ମାତ୍ର ପରେ ତାକୁ ଅନ୍ୟ ଅପରାଧୀ ଗୋଷ୍ଠୀ ହତ୍ୟା କରିଥିଲେ। ନକୁଳର ଅପରାଧିକ ପୃଷ୍ଠଭୂମିକୁ ଲକ୍ଷ୍ୟ କରି କମିସନରେଟ୍‌ ପୁଲିସ ତା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲା। ପୁଲିସ କମିସନର ଓ୍ଵାଇ ବି ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଜଣେ ପେସାଦାର ଅପରାଧୀ ତଥା ସମାଜରେ ଶାନ୍ତି ଶୃଙ୍ଖଳା ଭଙ୍ଗକାରୀ ହିସାବରେ ପୁଲିସ ନକୁଳ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର