ଦୁର୍ଦ୍ଦାନ୍ତ ସାଗର ନାମରେ ଏନ୍‌ଏସ୍‌ଏ ଲାଗିଲା

ଭୁବନେଶ୍ବର : ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆରମ୍ଭ କରିଛି କମିସନରେଟ ପୁଲିସ। ଅକ୍ଟୋବର ମାସରେ କମିସନରେଟ ପୁଲିସ ଖଣ୍ଡଗିରି ଥାନା ଅଧୀନ ରାଜୁ ପଠାଣ ବିରୋଧରେ ଏନଏସଏ ଲାଗୁ କରିବା ପରେ ଆଜି ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନଏସଏରେ ବୁକ୍‌ କରାଯାଇଛି। ସେ ହେଉଛି ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣାର ସାଗର ପରିଡ଼ା। ସାଗର ଏବେ ଏକ ଡକାୟତି ମାମଲାରେ ଝାରପଡ଼ା ଜେଲରେ ଅଛି। ଆଜି ପୁଲିସ ପକ୍ଷରୁ ଏକ ଚିଠି ଝାରପଡ଼ା ଜେଲ କତୃର୍ପକ୍ଷଙ୍କୁ ପ୍ରଦାନ କରାଯାଇଛି।

କମିସନରେଟ ପୁଲିସ ପକ୍ଷରୁ ମଳିଥିବା ସୂଚନା ମୁତାବକ, ସାଗର ବିରୋଧରେ ସମୁଦାୟ ୧୬ଟି ଜଘନ୍ୟ ମାମଲା ରହିଛି। ଯେଉଁଥିରେ ହତ୍ୟା ଉଦ୍ୟମ, ଡକାୟତି, ଲୁଟ୍‌ପାଟ, ଛିନତାଇ, ଦାଦାବଟି ଭଳି ସଂଘାତିକ ଅଭିଯୋଗ ରହିଛି। ସାଗର ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଆତଙ୍କ ସୃଷ୍ଟି କରୁଥିଲା। ସର୍ବସାଧାରଣ ସ୍ଥାନରେ ଗାଳିଗୁଲଜ କରିବା ସହିତ ଲୁଟପାଟ କରୁଥିଲା। ଗତ ଏକ ସପ୍ତାହ ତଳେ ସାଗର ଡମଣା ଛକରେ ଥିବା ମଦ ଦୋକାନ କମର୍ଚାରୀଙ୍କୁ ଲୁଟ୍‌ପାଟ କରିବା ସହିତ ମାଡ଼ ମାରିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସାଗରକୁ ଗିରଫ କରିଥିଲା। ଏଠାରେ ପ୍ରକାଶଥାଉକି, ପୂର୍ବରୁ ଜଟଣୀ ଥାନା ପୁଲିସ କାଳିଆ ସୁନ୍ଦରାୟ ଓ ଖଣ୍ଡିଗିରି ଥାନା ପୁଲିସ ନକୁଳ ମହାକୁଡ଼କୁ ଏନଏସ‌ଏ ବଳରେ ଗିରଫ କରିଥିଲା। ୨୦୧୫ ମସିହାରେ କଟକ ପୁଲିସ ରାଜେଶ ପାଲ ନାମକ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନଏସଏ ବଳରେ ଗିରଫ କରିଥିଲା।

ସମ୍ବନ୍ଧିତ ଖବର