ଫିଲ୍ମ ପ୍ରଯୋଜକ ଅନାମ ଚରଣ ଗିରଫ

ସେଭେନ୍‌ ହିଲ୍ସ ଜମି ଠକେଇ ମାମଲା

ଭୁବନେଶ୍ୱର : ଜମି ଦେବା ନାଁରେ ୫ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସେଭନ୍‌ ହିଲ୍ସ ଇଷ୍ଟେଟର ନିର୍ଦେଶକ ତଥା ଜଣେ ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କରିଛି। ତାଙ୍କ ନାଁ ଅନାମ ଚରଣ ସାହୁ। ଆଜି ତାଙ୍କୁ କଟକରେ ଥିବା ସ୍ୱତନ୍ତ୍ର ଚିଟଫଣ୍ଡ୍‌ କୋର୍ଟକୁ ଚାଲାଣ କରାଯାଇଛି। ପୂର୍ବରୁ ଏହି ଠକେଇ ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ।

ମିଳିଥିବା ସୂଚନା ଅନୁଯାୟୀ, ୨୦୦୩ରୁ ୨୦୦୬ ମସିହା ପର୍ଯ୍ୟନ୍ତ ସେଭେନ୍‌ ହିଲ୍ସ ଇଷ୍ଟେଟ ପିପିଲି ତହସିଲର ମାଟିଆପଡ଼ା ଅଞ୍ଚଳରେ ଥିବା ୬.୭୧ ଏକର ଜମିକୁ ୨ଶହ ଲୋକଙ୍କୁ ବିକ୍ରି କରିବାକୁ ରାଜିନାମା କରିଥିଲା। ଏ ବାବଦରେ ଜମାକାରୀମାନେ ପାଖାପାଖି ୫ କୋଟି ଟଙ୍କା ସଂସ୍ଥା ନିକଟରେ ଜମା କରିଥିଲେ। କିନ୍ତୁ ସଂସ୍ଥା ପକ୍ଷରୁ ସେମାନଙ୍କୁ ଜମି ଯୋଗାଇ ଦିଆଯାଇ ନ ଥିଲା କିମ୍ବା ଟଙ୍କା ଫେରସ୍ତ କରାଯାଇ ନ ଥିଲା। ଏ ନେଇ ଜମାକାରୀ ତଥା ଆଇନଜୀବୀ ଶୁଭ୍ରାଂଶୁ ଶେଖର ସେନାପତି ୨୦୧୬ ମସିହାରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ଅଭିଯୋଗକୁ ଗ୍ରହଣ କରି ମାମଲାର ତଦନ୍ତ ଆରମ୍ଭ କରିଥିଲା। କ୍ରାଇମ୍‌ବ୍ରାଞ୍ଚ ପ୍ରଥମେ ଦୁଇ ନିର୍ଦେଶକ ରୋହିତ ସରାଫ୍‌, ସଜ୍ଜନ କୁମାର ସୁରେଖଙ୍କୁ ଗିରଫ କରିଥିଲା।

ଗତକାଲି ଅନାମଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା। ଅନାମ କେତୋଟି ହାତଗଣତି ଓଡ଼ିଆ ଫିଲ୍ମର ପ୍ରଯୋଜକ ଥିଲେ। ଜମାକାରୀଙ୍କ ଟଙ୍କା ହଡ଼ପ କରି ଫିଲ୍ମ ପ୍ରଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅନାମ ଓ ସଂସ୍ଥା ବିରୋଧରେ କେବଳ ଗଞ୍ଜାମରେ ୨୪ଟି ମାମଲା ରହିଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତମାନେ ଗିରଫ ହେବେ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର