ବେଙ୍ଗାଲୁର: ଓଡ଼ିଆ ଇଞ୍ଜିନିୟରଙ୍କୁ ଛୁରି ଭୁଷି ହତ୍ୟା

ବେଙ୍ଗାଲୁର: ବେଙ୍ଗାଲୁରରେ କାର୍ଯ୍ୟ କରୁଥିବା ପ୍ରଣୟ ମିଶ୍ର (୨୮ ବର୍ଷ) ନାମକ ଜଣେ ଓଡ଼ିଶା ସପ୍ଟେଓ୍ଵୟାର ଇଞ୍ଜିନିୟରଙ୍କୁ ଦୁଇଜଣ ବାଇକ ଆରୋହୀ ଦକ୍ଷିଣ ବେଙ୍ଗାଲୁରର ଟାଭରେକେରେ ମେନ୍‌ ରୋଡ୍‌ରେ ଥିବା ଚକୋଲେଟ୍‌ ଫ୍ୟାକ୍ଟ୍ରି ନିକଟରେ ଛୁରି ମାରି ହତ୍ୟା କରିଛନ୍ତି। ପ୍ରଣୟ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭୁବନେଶ୍ୱରର ପ୍ରଣୟ ମିଶ୍ର ଗତ କିଛି ଦିନ ହେବ ଟାଭରେକେରେ ରହିବା ସହିତ ଜଣେ ସଫ୍ଟେଓ୍ଵୟାର ଇଞ୍ଜିନୟର ଭାବେ କାର୍ଯ୍ୟ କରୁଥିଲେ। ତେବେ ଗତକାଲି ରାତିରେ ସେ ତାଙ୍କ ପଡୋଶୀରେ ରହୁଥିବା ତାଙ୍କ ସହକର୍ମୀ ତଥା ପ୍ରେମିକାଙ୍କୁ ଭେଟିବାକୁ ଯାଉଥିବା ବେଳେ ମୋଟର ସାଇକେଲରେ ଆସି ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଭୁଷିି ହତ୍ୟା କରିଛନ୍ତି।

ପ୍ରେମିକାକୁ ଭେଟିବାକୁ ଆସୁଥିବା ଓଡ଼ିଆ ସଫ୍ଟେଓ୍ଵୟାର ଇଞ୍ଜିନିୟରଙ୍କୁ ବେଙ୍ଗାଲୁରରେ ଛୁରି ଭୁଷି ହତ୍ୟା।

ମାଦିଓ୍ଵାଲା ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ପ୍ରଣୟ ଗତ ରବିବାର ରାତିରେ ତାଙ୍କ ବନ୍ଧୁ ବଲବୀରଙ୍କ ବେଗୁରସ୍ଥିତ ଘରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ସେ ପ୍ରାୟ ରାତି ୨ଟା ୪୫ ମିନିଟ୍‌ ସମୟରେ ବଲବୀରଙ୍କ ଘର ଛାଡ଼ିଥିଲେ। ପ୍ରଣୟଙ୍କୁ ତାଙ୍କର ଜଣେ ବନ୍ଧୁୁ ତାଙ୍କ ଘରେ ଛାଡ଼ିଥିଲେ।ଏହାର କିଛି ସମୟ ପରେ ପ୍ରଣୟ ତାଙ୍କ ପ୍ରେମିକାଙ୍କୁ ଫୋନ କରିବା ସହିତ ଅଳ୍ପ ସମ ମଧ୍ୟରେ ସେ ତାଙ୍କୁ ଭେଟିବାକୁ ଚାହୁଛନ୍ତି ବୋଲି କହିଥିଲେ। ଏହା ପରେ ପ୍ରଣୟ ତାଙ୍କ ହୋଣ୍ଡା ଆକ୍ଟିଭା ଗାଡ଼ି ଧରି ଚକୋଲେଟ୍‌ ଫ୍ରାକ୍ଟ୍ରି ପାଖରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କର ଦୁଇଜଣ ବାଇକ ଆରୋହୀ ତାଙ୍କୁ ଅଟକାଇଥିଲେ।ଦୁର୍ବୃତ୍ତମାନେ ପ୍ରଣୟଙ୍କ ପେଟ୍‌ ଓ ବେକରେ ବାରମ୍ବାର ଛୁରିକାଘାତ କରିଥିଲେ।ଏପରିକି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ପ୍ରଣୟଙ୍କୁ ଦୁର୍ବୃତ୍ତଦ୍ୱୟ ଗୋଡେଇ ଗୋଡେଇ ଛୁରିରେ ଆଘାତ କରିଥିଲେ। ଯେତେବେଳେ ପ୍ରଣୟ ତଳେ ପଡ଼ିଗଲେ ଦୁର୍ବୃତ୍ତମାନେ ମୋଟର ସାଇକେଲ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ସେହି ସମୟରେ କେତେକ ଲୋକ ପ୍ରଣୟ ତଳେ ପଡ଼ିଥିବା ଦେଖି ତାଙ୍କୁ ସେଣ୍ଟ୍‌ ଜନ୍‌ସ ମେଡିକାଲ କଲେଜ୍‌ ଆଣ୍ଡ୍‌ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।ମାତ୍ର ସେତେବେଳକୁ ପ୍ରଣୟଙ୍କ ମୃତ୍ୟୁ ଘଟିସାରିଥିଲା ବୋଲି ପୁଲିସ କହିଛି। ଯେହେତୁ ପ୍ରଣୟଙ୍କ ପର୍ସ, ମୋବାଇଲ ଓ ହୋଣ୍ଡା ଆକ୍ଟିଭା ଗାଡ଼ି ସେହିପରି ସେଠାରେ ପଡ଼ିଛି,ପୁଲିସ ସନ୍ଦେହ କରୁଛି ଯେ ପ୍ରଣୟଙ୍କୁ ଜାଣିଥିବା କୌଣସି ବ୍ୟକ୍ତି ବ୍ୟକ୍ତିଗତ କାରଣରୁ ହତ୍ୟା କରିଛି।ତେବେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ପୁଲିସ ହତ୍ୟାକାରୀମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ପ୍ରଣୟଙ୍କ ଭଉଣୀ ପ୍ରାଚୀ ମିଶ୍ରଙ୍କ ଅଭିଯୋଗକ୍ରମେ ଏକ ନରହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲସ କହିଛି।
ବେଙ୍ଗାଲୁର ସାଉଥ ଇଷ୍ଟ ଡିସିପି ଏମ ବି ବୋରାଲିଙ୍ଗାୟା କହିଛନ୍ତି ଯେ ପ୍ରଣୟଙ୍କ ପ୍ରେମିକା ମଧ୍ୟ ଭୁବନେଶ୍ୱରର। ତାଙ୍କୁ ପଚରାଉଚରା କରା ଯାଉଛି। ସେ କହିଛନ୍ତି ଯେ ଭୁବନେଶ୍ୱରରେସେ ପ୍ରଣୟଙ୍କୁ ଚିହ୍ନି ନ ଥିଲେ। ବେଙ୍ଗାଲୁର ଆସିବା ପରେ ସେମାନଙ୍କ ବନ୍ଧୁୁତ୍ୱ ବଢ଼ିଛି। ତେବେ ପ୍ରଣୟ ରାତି ୩ଟାରେ ତାଙ୍କୁ ଭେଟିବାକୁ ଆସୁଥିବା କଥା ସେ (ପ୍ରେମିକା) ଅନ୍ୟ କାହାକୁ କହିଛନ୍ତି କିମ୍ବା ନାହିଁ ତାହା ତାଙ୍କୁ ପଚରାଯାଉଛି। ପ୍ରଣୟଙ୍କ ପ୍ରେମିକାକୁ ପୁଣିଥରେ ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର