ଭୁବନେଶ୍ୱର : ନକଲି ଡାକ୍ତର ରଙ୍ଗିଲା ରମେଶ ସ୍ବାଇଁ ନାଁରେ ଅଭିଯୋଗ ଫର୍ଦ୍ଦ ଦିନକୁ ଦିନ ଥମିବା ବଦଳରେ ଲମ୍ବିବାରେ ଲାଗିଛି। ପ୍ରତିଦିନ ନୂଆ ଅଭିଯୋଗ ରମେଶ ନାମରେ ଆସିବାରେ ଲାଗିଛି। ପ୍ରଥମରୁ ଲୋକଲଜ୍ଜା ଡରରେ ମୁହଁ ଖୋଲୁ ନଥିବା ସ୍ତ୍ରୀମାନେ ଏବେ ସାମ୍ନାକୁ ଆସି ପୁଲିସରେ ନିଜନିଜ ଅଭିଯୋଗ ଜଣାଉଛନ୍ତି।
ଏହି କ୍ରମରେ ନିକଟରେ ଗୌହ୍ବାଟି ଜଣେ ସରକାରୀ ଡାକ୍ତରଣୀଙ୍କ ଠାରୁ ରମେଶ ସ୍ବାଇଁ ୨୧ଲକ୍ଷ ଟଙ୍କା ଠକି ନେଇଥିବା ନେଇ ସେ ପୁଲିସରେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ମେ ୩୧ ତାରିଖରେ କରୋନା କଟକଣା ଭିତରେ ପରିବାର ସହସ୍ୟଙ୍କ ଉପସ୍ଥିତିରେ ଗୌହ୍ବାଟିରେ ମହିଳା ଡାକ୍ତରଙ୍କୁ ବିବାହ କରିଥିଲା ରମେଶ ସ୍ବାଇଁ । ଏହି ବାହାଘରରେ ରମେଶର ଭିଣୋଇ ଗଣେଶ ଓ ରମେଶର ଡ୍ରାଇଭର ପପୁ ଉପସ୍ଥିତ ରହିଥିଲେ ।
କୁହାଯାଉଛି କି ବାହାଘର ପରେ ୫ ଷ୍ଟାର ହୋଟେଲରେ ରହିଥିଲେ ରମେଶ ଓ ତାର ଠକ ସହଯୋଗୀମାନେ । ଏହାପରେ ବିମାନରେ ଭୁବନେଶ୍ୱର ଆସି ଦ ଡିଏନ ଅକ୍ସି ଆପାର୍ଟମେଣ୍ଟରେ ରହିଥିଲା ଏହି ଠକ।
ରମେଶର ପୂର୍ବ ପ୍ରସ୍ତୁତି ଅନୁସାରେ ସାବତ ମା’ ଭଉଣୀ ଓ ପୁରୋହିତ ସେଠାରେ ଉପସ୍ଥିତ ରହି ବୈଦିକ ରୀତିନୀତି ଅନୁସାରେ ପୁଅ-ବୋହୂଙ୍କ ଗୃହ ପ୍ରବେଶ କରାଇଥିଲେ। ଭଉଣୀ ନଣନ୍ଦ ପୁଟୁଳି ବାବଦକୁ ଡାକ୍ତରାଣୀଙ୍କ ଠାରୁ ସୁନା, ମୋବାଇଲ, ଦାମୀ ଶାଢ଼ି ମଧ୍ୟ ନେଇଥିଲା ।
ମହିଳା ଡାକ୍ତରାଣୀଙ୍କ ଲିଖିତ ଅଭିଯୋଗ ପରେ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୁଲିସ । ଏଥିସହିତ ୧୬୪ ଧାରାରେ ଉକ୍ତ ମହିଳା, ତାଙ୍କ ଭାଇ ଓ ତାଙ୍କ ବାପାଙ୍କ ବୟାନ ରେକର୍ଡ କରାଯିବ । ଏହି ଘଟଣାକୁ ନେଇ ମହିଳା ଡାକ୍ତରଙ୍କ ବାପା କହିଛନ୍ତି, ରମେଶ ହେଉଛି ଜଣେ ଜାତୀୟ ଅପରାଧୀ। ଦେଶ ପାଇଁ ଏମାନେ ବିପଦ । ରମେଶକୁ ଯଥାଶୀଘ୍ର ଦଣ୍ଡ ଦିଅଯାଇ ଫାଶୀ ଖୁଣ୍ଟରେ ଝୁଲାଯାଉ।
ତେବେ ଉକ୍ତ ମହିଳା ଡାକ୍ତରାଣୀଙ୍କ ମ୍ୟାଟ୍ରିମୋନିଆଲ ସାଇଟରେ ପ୍ରଥମେ ଠକ ରମେଶ ସହିତ ଦେଖା ହୋଇଥିଲା। ପରେ ଫୋନ ଜରିଆରେ ଦୁହେଁ କଥା ହୋଇଥିଲେ । ତିନିତିନି ଥର ଆସାମ ଯାଇ ମହିଳା ଡାକ୍ତରାଣୀଙ୍କୁ ଦେଖା କରିଥିଲା ରମେଶ ।