ଖଣ୍ଡଗିରି : କିଛି ଦିନ ତଳେ କମିସନରେଟ୍ ପୁଲିସ ଓ କୁଇକ୍ ଆକ୍ସନ୍ ଟିମ୍ ଦାମୀ କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା। ହେଲେ କଣ୍ଟେନର୍ରେ ଗଞ୍ଜେଇ ଚାଲାଣ ହେବା ଏବେ ପୁଲିସକୁ ତାଜୁବ୍ କରିଛି। ଅତି ସତର୍କତାର ସହିତ ଓଡ଼ିଶାରୁ ଚାଲାଣ ହେଉଛି ବିହାର। ଏତେ ପରିମାଣର ଗଞ୍ଜେଇ ଏପରି ଚାଲାଣ ହେବା ଘଟଣା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ପ୍ରାୟ ୧୨ କୁଇଣ୍ଟାଲ୍ ଓଜନର ଗଞ୍ଜେଇ ଯାହାର ମୂଲ୍ୟ ୨ କୋଟି ହେବ ବୋଲି ଆକଳନ କରାଯାଇଛି।
ସୂଚନା ଅନୁଯାୟୀ ନନ୍ଦିନୀ ଟ୍ରାନ୍ସପୋର୍ଟ ସଂସ୍ଥାର ଏହି କଣ୍ଟେନର୍ ଓଡ଼ିଶା ସୀମା ନିକଟ ଇଚ୍ଛାପୁରମ୍ର ଏକ ଟ୍ରାନ୍ସପୋର୍ଟରୁ ମାଲ୍ ନେଇ ବିହାର ରାଜଧାନୀ ପାଟ୍ନା ଅଭିମୁଖେ ଯାଉଥିଲା। ଗାଡ଼ିରେ କାଜୁ, ହଳଦୀ ଭଳି ତେଜରାତି ସାମଗ୍ରୀ ସହ ଡ୍ରେସ୍ ଆଦି ଭର୍ତି ହୋଇଥିଲା। ରୁପା ଓ ୟୁରୋ କମ୍ପାନିର ଚଡ଼ି ଓ ଗଞ୍ଜି ପ୍ୟାକେଟ୍ ଥିଲା। ମାତ୍ର ଡ୍ରାଇଭର୍ କ୍ୟାବିନ୍ ନିକଟ କୋଠରିରେ ଗଞ୍ଜେଇ ଭର୍ତି ହୋଇଥିଲା। ଏହି ଚୋରା ମାଲ୍ ଆନ୍ଧ୍ରପ୍ରଦେଶରୁ ଆସି ନଥିବା ସୂଚନା ମିଳିଛି। ଗାଡି ଡ୍ରାଇଭର୍ ରାସ୍ତାରୁ ମାଲ୍ ଉଠାଇଥିବା ଜଣାପଡ଼ିଛି। ଓଡ଼ିଶା ସୀମାକୁ ପଶିବା ପରେ ଗଞ୍ଜାମ ଜିଲ୍ଲାରୁ କେଉଁଠାରୁ ମାଲ୍ ଉଠାଯାଇଥିବା ସନ୍ଦେହ କରାଯାଉଛି। ସ୍ପଷ୍ଟ ସୂଚନା ମିଳି ନଥିଲେ ବି ଗଞ୍ଜାମର ଗଞ୍ଜେଇ ମାଫିଆମାନେ ମାଲ୍ ଯୋଗାଇଥିବା ସନ୍ଦେହ କରାଯାଉଛି। ଉକ୍ତ ଗାଡ଼ି ମାଲିକ ଓ ଡ୍ରାଇଭର୍ଙ୍କ ଜ୍ଞାତସାରରେ ଏହା ଚାଲୁଥିବା ଜଣାପଡ଼ିଛି। ବସ୍, କାର ଯୋଗେ ଅଳ୍ପ ପରିମାଣର ମାଲ୍ କେବଳ ଓଡ଼ିଶା ଭିତରେ ବିଭିନ୍ନ ସହରକୁ ପରିବହନ ହୋଇଥାଏ। ତେଣୁ ରାଜ୍ୟ ବାହାରକୁ ଏକାଥରକେ ବହୁ ପରିମାଣର ମାଲ୍ ପଠାଇବା ପାଇଁ ମାଫିଆମାନେ ସୁଚିନ୍ତିତଭାବେ ଏଭଳି ଏକ ଗାଡ଼ିର ସାହାରା ନେଇଥିଲେ। ବିଭାଗୀୟ ଅଧିକାରୀମାନେ ଏହି ମାମଲାର ଚେରରେ ପହଞ୍ଚିବାକୁ ତଦନ୍ତ ଜାରି ରଖିଛନ୍ତି।