ଆୟବହିର୍ଭୂତ ସଂପତ୍ତି ଠୁଳ : ଓପେପା ଅର୍ଥ ପରାମର୍ଶଦାତା, ତହସିଲଦାର ସ୍ୱାମୀ ଗିରଫ

କଟକ : ଓଡ଼ିଶା ଭିଜିଲାନ୍ସ ଇତିହାସରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ଆୟ ବହିର୍ଭୂୂତ ସମ୍ପତ୍ତି ଠାବ କରାଯାଇଛି। ଗତକାଲି ଓଡ଼ିଶା ପ୍ରାଇମେରୀ ଏଜୁକେସନ୍‌ ପ୍ରୋଗ୍ରାମ ଅଥୋରିଟି (ଓପେପା)ର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟ ଅଫିସର ନଳିନୀ କୁମାରୀ ପୃଷ୍ଟି ଏବଂ ତାଙ୍କ ସ୍ୱାମୀ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଏମାନଙ୍କ ନିକଟରୁ ୬କୋଟି ୮୭ ଲକ୍ଷ ୧୮୯୩୯ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ରେକର୍ଡ କରାଯାଇଛି। ଉଭୟ ଦମ୍ପତି ସମ୍ପତ୍ତିର ସନ୍ତୋଷଜନକ ହିସାବ ଦେଇନପାରିବାରୁ ସେମାନଙ୍କୁ ଆଜି ଗିରଫ କରାଯିବା ପରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଠାବ ହୋଇିବା ସମ୍ପତ୍ତି ଭିଜିଲାନ୍ସ ଇତିହାସରେ ସର୍ବାଧିକ ପରିମାଣର ସମ୍ପତ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଭିଜିଲାନ୍ସ ସେଲ୍‌ ଏସ୍‌ପି ଏମ୍‌.ବାଲ୍‌କ୍ରୀଷ୍ଣା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସର ୭ଟି ଟିମ୍‌ ଗତକାଲି ମଧୁସୂଦନ ନଗର ଉତ୍କଳ ଭିଲ୍ଲାରେ ଥିବା ୪ବିଏଚ୍‌କେ ଫ୍ଲାଟ୍‌ ଓ ୨ ବିଏଚ୍‌କେ ଫ୍ଲାଟ୍‌, ପୁରୀ କୁମ୍ଭାରପଡ଼ାରେ ଥିବା ଫ୍ଲାଟ୍‌, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଫ୍ଲାଟ୍‌, କେନ୍ଦ୍ରାପଡ଼ାରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ, ତହସିଲଦାର ବିଜୟ କେତନ ସାହୁଙ୍କ କାର୍ଯ୍ୟାଳୟ ଓ ଘର ଉପରେ ମିଳିତ ଚଢାଉ କରାଯାଇଥିଲା। ଚଢାଉ ବେଳେ ୬କୋଟି ୮୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲାବେଳେ ଇଣ୍ଟିରିୟର ଡେକରେସନ୍‌ରେ ଖର୍ଚ୍ଚ ହୋଇଥିବା ୧କୋଟି ୩୪ ଲକ୍ଷ ଟଙ୍କାକୁ ନେଇ ଭିଜିଲାନ୍ସ ଆଶ୍ଚର୍ଯ୍ୟ ପ୍ରକଟ କରିଛି।

ସମ୍ବନ୍ଧିତ ଖବର