ନୂଆଦିଲ୍ଲୀ: ଚୋରକୁ ଗିରଫ କରିବାକୁ ଯାଇଥିଲେ ଏଏସଆଇ। ଏକାଧିକ ଥର ଛୁରୀ ଭୁଶି ହତ୍ୟା କଲା ଅଭିଯୁକ୍ତ। ମୋବାଇଲ୍ ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ଚେଷ୍ଟା କରୁଥିବା ବେଳେ ରବିବାର ଦିନ ରାଜଧାନୀ ଦିଲ୍ଲୀରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ)ଙ୍କୁ ସର୍ବସାଧାରଣରେ ଛୁରାମାଡ଼ କରାଯାଇଥିଲା। ଅଭିଯୁକ୍ତ ଏକାଧିକ ଥର ଏଏସଆଇଙ୍କ ଉପରେ ଆକ୍ରମଣ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏଏସଆଇଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ରୀତିନୀତି ଜାନୁଆରୀ ୮ରେ କରାଯାଇଥିଲା ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଏଏସଆଇ ଶମ୍ବୁ ଦୟାଲ ରାଜସ୍ଥାନରୁ ଆସି ପଶ୍ଚିମ ଦିଲ୍ଲୀରେ ରହୁଥିଲେ। ଏଠାରେ ତାଙ୍କୁ ମୁତୟନ କରାଯାଇଥିଲା। ଏହି ଆକ୍ରମଣର ଏକ ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ କିଭଳି ସମସ୍ତଙ୍କ ଆଗରେ ଅଭିଯୁକ୍ତ, ଏଏସଆଇ ଦୟାଲଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା, ତାହା ଦେଖିବାକୁ ମିଳିଛି।
ଭିଡିଓରେ ଦେଖାଯାଇଛି ଯେ, ଏଏସଆଇ ଶମ୍ବୁ ଦୟାଲ ଅଭିଯୁକ୍ତକୁ ଧରି ଆଗକୁ ଆସୁଛନ୍ତି। ତାଙ୍କ ପଛେ ପଛେ ଅନେକ ଲୋକ ମଧ୍ୟ ଆସୁଛନ୍ତି। ଏହା ପରେ ଅଭିଯୁକ୍ତ ହଠାତ୍ ଏଏସଆଇ ଶମ୍ବୁ ଦୟାଲଙ୍କୁ ଛୁରୀରେ ଆକ୍ରମଣ କରୁଛି। ପାଖରେ ଏକାଧିକ ଲୋକ ଥିଲେ ବି କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁନାହାନ୍ତି। ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ବେଳେ ଏଏସଆଇ ଶମ୍ବୁ ଦୟାଲ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଉଛନ୍ତି।
ପୁଲିସର ସୂଚନାନୁସାରେ, ପଶ୍ଚିମ ଜିଲ୍ଲାର ମାୟାପୁରୀ ପୁଲିସ ଷ୍ଟେସନରେ ମୁତୟନ ହୋଇଥିବା ଏଏସଆଇ ଶମ୍ବୁ ଦୟାଲଙ୍କୁ ଜଣେ ଦମ୍ପତି ଫୋନ କରି ନିଜର ଅଭିଯୋଗ କହିଥିଲେ। ଅଭିଯୁକ୍ତ ଫୋନ ଚୋରି କରି ଧମକ ଦେଉଥିବାର ଅଭିଯୋଗ ପାଇ ଦୟାଲ ତାଙ୍କୁ ଗିରଫ କରିବାକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା।