ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଖଣ୍ଡଗିରି: ଜଣେ ନାବାଳିକାକୁ ଅପହରଣ କରିିଥିବା ଅଭିଯୋଗରେ ରବିବାର ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବାଛଳ ଗାଁର ବିଜୟ କୁମାର ବେହେରା(୨୪)। ଜାମିନ୍‌ ନାମଞ୍ଜୁର ହେବାରୁ ବିଜୟକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ଏପ୍ରିଲ ୨୫ ତାରିଖରେ ବରମୁଣ୍ଡା ଷଣ୍ଢସାହିର ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାକୁ କେହି ଅପହରଣ କରି ନେଇଥିବା ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଛାନ୍‌ଭିନ୍‌ କରିବା ପରେ ବିଜୟ ହିଁ ନାବାଳିକାକୁ ଅପହରଣ କରିନେଇଥିବା ଜଣାପଡ଼ିଥିଲା। ତେଣୁ ଅପହରଣକାରୀ ବିଜୟକୁ ପିଛା କରିଥିଲା ଖଣ୍ଡଗିରି ଥାନା ପୁଲିସ। ଶନିବାର ରାତିରେ ଖଣ୍ଡଗିରି ଥାନା ପୁଲିସ ଯାଜପୁର ଜିଲ୍ଲା ପୁଲିସ ସହଯୋଗରେ ଓଳାଭର ଗାଁରେ ଚଢ଼ଉ କରି ବିଜୟକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାକୁ ନେଇ ବିଜୟ ଓଳାଭରସ୍ଥିତ ତା ମଉସା ଘରେ ଲୁଚି ରହିଥିଲା ଓ ଖୁବ୍‌ ଶୀଘ୍ର ତାକୁ ବିବାହ କରିବ ବୋଲି ଯୋଜନାରେ ଥିଲା। ମାତ୍ର ପୁଲିସ ଚଢ଼ଉ ବିଜୟର ଯୋଜନାକୁ ପଣ୍ଡ କରି ଦେଇଥିଲା। ସୂଚନାନୁସାରେ ନାବାଳିକାର ପିଉସୀ ଘର ହେଉଛି ବାଛଳ ଗାଁ। ତେଣୁ ନାବାଳିକା ଜଣଙ୍କ ପିଉସୀଙ୍କ ଘର ବୁଲିବାକୁ ଯାଇଥିବାବେଳେ ବିଜୟ ତାକୁ ଏକପାଖିଆ ଭଲ ପାଇଥିଲା। ଏମିତିକି ତାଙ୍କୁ ପିଛା କରି କରି ବିଜୟ ବହୁ ଥର ଭୁବନେଶ୍ୱର ଆସି ନାବାଳିକାକୁ ରାସ୍ତାଘାଟରେ ଦେଖା କରୁଥିଲା। ଗତ ୨୫ ତାରିଖରେ ଏମିତି ଏକ ଘଟଣାକ୍ରମରେ ବିଜୟ ଭୁବନେଶ୍ୱର ଆସି ନାବାଳିକାକୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର