ହୋମିଓ କ୍ଲିନିକ୍‌ରେ ଗଣ୍ଡଗୋଳ କରି ଜଣେ ଗିରଫ

ଖଣ୍ଡଗିରି : ରଙ୍ଗ ଓ କାଳି ଲଗା ପୁରୁଣା ୫୦ଟଙ୍କିଆ ନୋଟ୍‌ ଦେଣନେଣକୁ କେନ୍ଦ୍ର କରି ଏକ କ୍ଲିନିକ୍‌ରେ ଗଣ୍ଡଗୋଳ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ତମାଣ୍ଡୋ ଗାଁର ସନ୍ତୋଷ ବଳ ଓରଫ୍‌ ଭାଲୁ (୪୦)। ପୁଲିସ ସୂଚନାନୁସାରେ, ୧୯ତାରିଖ ସନ୍ଧ୍ୟାରେ ଭାଲୁ ତମାଣ୍ଡୋ ବଜାରସ୍ଥିତ ମହାଲକ୍ଷ୍ମୀ ହୋମିଓ କ୍ଲିନିକ୍‌ରୁ ୩୫୦ ଟଙ୍କାର ଔଷଧ କିଣିଥିଲେ। ଟଙ୍କା ପଇଠ କଲା ବେଳେ ସେଥିରେ ଗୋଟିଏ ପୁରୁଣା ୫୦ ଟଙ୍କିଆ ନୋଟ୍‌ ଥିଲା। ସେଥିରେ ରଙ୍ଗ ଓ କାଳି ଲାଗିଥିଲା। ତେଣୁ କ୍ଲିନିକ୍‌ରେ ଥିବା ମହିଳା କର୍ମଚାରୀ ନୋଟ୍‌ଟିକୁ ବଦଳ କରିବାକୁ କହିଥିଲେ। କିନ୍ତୁ ନୋଟ୍‌ଟି ଅଚଳ ନୁହେଁ କହି ଭାଲୁ ଚଳାଇବାକୁ କହିଥିଲେ ଓ ନୋଟ୍‌ ଫେରାଇ ନେବାକୁ ମନା କରିଥିଲେ। ଏଥିରୁ ଯୁକ୍ତିତର୍କ ଓ କଥା କଟାକଟି ହୋଇଥିଲା। ରାଗରେ ଭାଲୁ କ୍ଲିନିକ୍‌ରେ ପଶି ମହିଳାଙ୍କ ଚୁଟି ଧରି ମାଡ଼ ମାରିବା ସହ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ। ଏ ନେଇ ମହିଳା କର୍ମଚାରୀଜଣଙ୍କ ତମାଣ୍ଡୋ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଭାଲୁକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର