୨ ଲକ୍ଷ ଦାଦାବଟି ମାଗି ଅଭିଯୁକ୍ତ ଗିରଫ

ଖଣ୍ଡଗିରି: ଗୃହନିର୍ମାଣ କରିବା ପୂର୍ବରୁ ପ୍ଲଟ ମାଲିକାଣୀଙ୍କୁ ୨ଲକ୍ଷ ଟଙ୍କା ଦାଦାବଟି ମାଗିଥିବା ଜଣେ ଅଭିଯୁକ୍ତକୁ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ, ଯଦୁପୁର ବେଗୁନିଆ ଅଞ୍ଚଳର ସକତ୍‌ ଖାଁ(୩୬)। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ, ଭୁବନେଶ୍ବର ଅଶୋକନଗର ଅଞ୍ଚଳର ରଜିଆ ଫତିମା ଡୁମୁଡୁମାରେ ଏକ ପ୍ଲଟ୍‌ କିଣିଛନ୍ତି। ସେ ଉକ୍ତ ପ୍ଲଟ୍‌‌ରେ କାମ ଆରମ୍ଭ କଲା ବେଳେ ସକତ୍‌ ତାଙ୍କୁ ୨ଲକ୍ଷ ଟଙ୍କା ମାଗିଥିଲା। ଟଙ୍କ‌ା ନ ଦେଲେ ସେ ସେହି ପ୍ଲଟ୍‌ରେ ତାଙ୍କୁ ପୂରାଇ ଦେବ ନାହିଁ ବୋଲି ଧମକ ଦେଇଥିଲା। ତେଣୁ ରଜିଆ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳରେ ଜମି କିଣି କିଛି ବର୍ଷ ପଡ଼ିଆ ପକାଇଥିବା ଜମି ମାଲିକମାନେ ପ‌ରେ ଗୃହ ନିର୍ମାଣ କରିବାକୁ ଆସିଲେ, ଏଭଳି ଦାଦାବଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରଜିଆଙ୍କ ଭଳି କିଛି ଲୋକ ଦାଦାମାନଙ୍କୁ ମୁକାବିଲା କରୁଥିଲେ ହେଁ ବହୁ ଲୋକ ମୂଲଚାଲ କରି ଦାଦାମାନଙ୍କୁ ବଟି ଗଣିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର