ଅନ୍‌ଲାଇନ୍‌ ବ୍ୟବସାୟ ନାଁରେ ଠକେଇ ସଂସ୍ଥାର ମୁଖ୍ୟ ଗିରଫ

ଭୁବନେଶ୍ୱର: କମ୍‌ ଦାମରେ ନାମୀ କମ୍ପାନିର ପୋଷାକ। ତାହାପୁଣି ୮୦ ପ୍ରତିଶତରୁ ଅଧିକ ରିହାତିରେ ଉପଲବ୍ଧ। ଗେଟ୍‌ଆେଓ୍ଵ ଫାଉଣ୍ଡେସନ୍‌ ନାମକ ଏକ ଅନ୍‌ଲାଇନ୍‌ ସଂସ୍ଥା ଏଭଳି ଲୋଭ ଦେଖାଇ ଗ୍ରାହକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ବଡ଼ଗଡ଼ ଥାନା ପୁଲିସ ସଂସ୍ଥାର ମୁଖ୍ୟ ରଶ୍ମି ରଞ୍ଜନ ପାଣି(୩୩)କୁ ଗିରଫ କରିଛି। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଅଧୀନ ହଳଦୀପଡ଼ିଆ ଅଞ୍ଚଳରେ। ଏଠାରେ ଏୟାର୍‌ଫିଲ୍‌ଡ ଥାନା ଅଧୀନ ସୃଷ୍ଟି ଇଲାଇଟ୍‌ ଆପାର୍ଟମେଣ୍ଟରେ ରହୁଥିଲା। ପୁଲିସ ସୂଚନା ମୁତାବକ, ୨୦୧୭ରେ ରଶ୍ମି ଓ ସୁଭଦ୍ରା ମଣ୍ଡଳ ଅନ୍‌ଲାଇନ୍‌ ବ୍ୟବସାୟ ପାଇଁ ଯୋଜନା କରିଥିଲେ। ସେମାନେ ପ୍ରଥମେ ଫେସ୍‌ବୁକ୍‌ରେ ବିଭିନ୍ନ କମ୍ପାନିର ସାର୍ଟ, ପ୍ୟାଣ୍ଟ, ଜୋତା, ଘଡ଼ି ଆଦି ଫଟୋ ଛାଡ଼ି ଆକର୍ଷଣୀୟ ବିଜ୍ଞାପନ ଦେଇଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ୮୦ ପ୍ରତିଶତରୁ ଅଧିକ ରିହାତିରେ ବିକ୍ରି ପାଇଁ ବିଜ୍ଞାପନ ଦିଆଯାଇଥିଲା। ଗ୍ରାହକମାନେ ଏ ନେଇ ମେସେଞ୍ଜର୍‌ରେ ରଶ୍ମିଙ୍କ ସହ ଯୋଗାଯୋଗ କରିଥିଲେ। ରଶ୍ମି ଗ୍ରାହକଙ୍କ ସହ ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ସେମାନଙ୍କୁ ହ୍ଵାଟସ୍‌ ଆପ୍‌ରେ ଚାଟ୍‌ ପାଇଁ କହୁଥିଲେ। ହ୍ଵାଟସ୍‌ ଆପ୍‌ ମାଧ୍ୟମରେ ସେମାନଙ୍କୁ ଗ୍ରୁପ୍‌ରେ ଯୋଡ଼ା ଯାଇ ଅଧିକ ଗ୍ରାହକ ଯୋଗାଡ଼ କରାଯାଇଥିଲା। ଯେଉଁମାନେ ଜିନିଷ କିଣିବା ପାଇଁ ଆଗ୍ରହ ଦେଖାଉଥିଲେ, ସେମାନଙ୍କୁ କାନାଡ଼ା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଉଥିଲା। ଗ୍ରାହକମାନେ ଟଙ୍କା ଜମା କରିବା ପରେ ସେମାନଙ୍କୁ ତୁରନ୍ତ ଫେସ୍‌ବୁକ୍‌, ହ୍ଵାଟ୍‌ସ୍‌ ଆପ ଓ ମୋବାଇଲ୍‌ରେ ବ୍ଲକ୍‌ କରି ଦିଆଯାଉଥିଲା। ଏମିତି ରଶ୍ମି ଓ ସୁଭଦ୍ରା ଗ୍ରାହକଙ୍କଠାରୁ ଏନ୍‌ଏଫ୍‌ଟି, ପେଟିଏମ୍‌ ଓ ଅନ୍ୟ ମାଧ୍ୟମରେ ମଧ୍ୟ ପାଖାପାଖି ୧୦ଲକ୍ଷରୁ ଊର୍ଦ୍ଧ୍ୱଟଙ୍କା ଠକି ନେଇଥିଲେ।

ତେବେ ଇନ୍ଦୋରର ଚିରାଗ ଜୈନ ନାମକ ଜଣେ ଯୁବକ ସଂସ୍ଥାରୁ ୧୫ ହଜାର ଟଙ୍କାର ଜିନିଷ ଅର୍ଡର କରିଥିଲେ। ଜିନିଷ ନ ଆସିବାରୁ ସେ ସଂସ୍ଥା ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ତାଙ୍କୁ ଉତ୍ତର ଦେଇ ନଥିଲେ। ଏନେଇ ଚିରାଗ କମିସନରେଟ୍‌ ପୁଲିସକୁ ମେଲ୍‌ କରିଥିଲେ। ମେଲ୍‌ ପାଇବା ପରେ ପୁଲିସ କମିସନର୍‌ ଓ୍ଵାଇବି ଖୁରାନିଆ ଘଟଣାର ତଦନ୍ତ ପାଇଁ ଡିସିପି ଅନୁପ ସାହୁଙ୍କୁ ନିର୍ଦେଶ ଦେଇଥିଲେ। ଆଉ ଡିସିପି ସ୍ପେସାଲ୍‌ ସ୍କ୍ଵାଡ୍‌କୁ ଏହି ଦାୟିତ୍ୱ ଦେଇଥିଲେ।

କେମିତି ଧରାପଡ଼ିଲା ରଶ୍ମି
ରଶ୍ମିକୁ ଧରିବା ପାଇଁ ସ୍ପେସାଲ ସ୍କ୍ଵାଡ୍‌ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ରଶ୍ମି ବ୍ୟବହାର କରୁଥିବା ନମ୍ବରଗୁଡ଼ିକୁ ଟ୍ରାକିଂରେ ପକାଇଲେ ମଧ୍ୟ କୌଣସି ନିର୍ଦିଷ୍ଟ ଠିକଣା ମିଳୁ ନଥିଲା। ରଶ୍ମି ଯେଉଁ ସବୁ ମୋବାଇଲ୍‌ ନମ୍ବର ବ୍ୟବହାର କରୁଥିଲା ସେଥିରେ କାହାରି ସହ କଥାବାର୍ତ୍ତା ହେଉ ନଥିଲା। ନମ୍ବରଗୁଡ଼ିକୁ କେବଳ ଗ୍ରାହକଙ୍କ ସହ ହ୍ଵାଟସ୍‌ଆପ୍‌ରେ ବ୍ୟବହାର କରୁଥିଲା। ଆଉ କିଛିଦିନ ବ୍ୟବହାର ପରେ ନମ୍ବରକୁ ଫୋପାଡ଼ି ଦେଉଥିଲା।
ତେଣୁ ତାକୁ ଧରିବା ପାଇଁ ପୁଲିସ ବ୍ୟାଙ୍କ ଆକାଣ୍ଟରୁ ରଶ୍ମିର ଠିକଣା ଠାବ ପାଇଁ ଯୋଜନା କରିଥିଲା। ସେ ଗ୍ରାହକଙ୍କୁ ଯେଉଁ ଆକାଉଣ୍ଟରେ ଟଙ୍କା ଜମା ପାଇଁ କହୁଥିଲା ତାହା ବ୍ରହ୍ମେଶ୍ୱରପାଟଣା କାନାଡ଼ା ବ୍ୟାଙ୍କ ଆକାଉଣ୍ଟ ବୋଲି ପୁଲିସ ଜାଣିବାକୁ ପାଇଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ପୁଲିସ ଯୋଗାଯୋଗ ପରେ ମଳିପଡ଼ା ଫ୍ଲାଟ୍‌ ନମ୍ବର-୪୦୭ରେ ରଶ୍ମି ରହୁଥିବା ଜଣାପଡ଼ିଥିଲା। ମାତ୍ର ସେଠାରେ ରଶ୍ମିକୁ ଠାବ କରାଯାଇ ପାରି ନଥିଲା। ଏହାପରେ ବ୍ୟାଙ୍କରେ ବ୍ୟବହାର କରୁଥିବା ମୋବାଇଲ୍‌ ନମ୍ବର୍‌କୁ ପୁଲିସ ଟ୍ରାକିଂ କରିଥିଲା। ରଶ୍ମି ଏୟାରଫିଲ୍‌ଡ ଥାନା ଅଧୀନ ସୃଷ୍ଟି ଇଲାଇଟ୍‌ ଆପାର୍ଟମେଣ୍ଟରେ ରହୁଥିବା ପୁଲିସ ଟ୍ରାକିଂରୁ ଜାଣି ପାରିଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ସ୍ପେସାଲସ୍କ୍ଵାଡ୍‌ର ଏକ ଟିମ ସେଠାରେ ଚଢ଼ଉ କରି ରଶ୍ମିକୁ ଗିରଫ କରିଥିଲା। ଏଥିସହିତ ତା ନିକଟରୁ ଲାପ୍‌ଟପ୍‌, ମୋବାଇଲ୍‌ ଫୋନ୍‌, ବ୍ୟାଙ୍କ ପାସ୍‌ବୁକ୍‌ ଓ ଏଟିଏମ୍‌ ଆଦି ଜବତ କରାଯାଇଛି। ତେବେ କେବଳ କାନାଡ଼ା ବ୍ୟାଙ୍କ ନୁହେଁ ଅନ୍ୟ ବ୍ୟାଙ୍କରେ ମଧ୍ୟ ତାର କାରବାର ଥିବା ସେ ପୁଲିସକୁ କହିଛି। ପଚରାଉଚରା ପରେ ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସ ତାକୁ ବଡ଼ଗଡ଼ ଥାନାକୁ ହସ୍ତାନ୍ତର କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର