ହଣ‌ାକଟା ଓ ବୋମାମାଡ଼ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ବର: ହଣ‌ାକଟା ଓ ବୋମାମାଡ଼ କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ଆଉ ଜଣେ କୁଖ୍ୟାତ ଅପରାଧୀକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେ ହେଲା ୟୁନିଟ୍-୬ ରାଧାକୃଷ୍ଣ ବସ୍ତିର ରାଜେଶ ନାଏକ ଓରଫ ରାଜେଶ ପ୍ରଧାନ ଓରଫ ପୋକରା (୨୫)। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଙ୍ଗାକୁ ପୂର୍ବରୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ପୁଲିସ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ବବୁଲ ନାୟକଙ୍କ ସହ ରାଙ୍ଗାର ବିବାଦ ଲାଗି ରହିଥିଲା। କୌଣସି କାରଣକୁ ନେଇ ଗତ ଡିସେମ୍ବର ମାସରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଙ୍ଗା ପ୍ରତିଶୋଧ ପରାୟଣ ହୋଇ ବବୁଲଙ୍କୁ ପାନେ ଦେବା ପାଇଁ ସହଯୋଗୀ ପୋକରାକୁ କହିଥିଲା। ଆଉ ଉଭୟ ମିଶି ବବୁଲଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏନେଇ ବବୁଲ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ପୋକରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଥାଉ କି ପୂର୍ବରୁ ଉଭୟଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ହଣାକଟା, ବୋମାମାଡ଼, ଲୁଟ୍‌ପାଟ ଭଳି ବହୁ ଆପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର