ଅମରେଶ ହତ୍ୟା ଘଟଣାରେ ଆଉ ଜଣେ ଗିରଫ

ପୁରୁଣା ଭୁବନେଶ୍ୱର : ଏୟାରଫିଲ୍‌ଡ ଥାନା ଅଧୀନ କପିଳପ୍ରସାଦ ହାଉସିଂବୋର୍ଡରେ ଅମରେଶ ନାୟକ ହତ୍ୟା ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ସୁନ୍ଦରପଦା ତଳସାହିର ରୋଶନ୍‌ ଜେନା(୨୪)। ସୂଚନା ଅନୁଯାୟୀ ରୋଶନ୍‌ ଗତକାଲି ରାତିରେ ଜଟଣୀ ରାସ୍ତାରେ ଗୟାନଳଠାରେ ଭୋଜି କରି ମଦ ପିଇ ଖଟି କରୁଥିଲା। ରାତି ପ୍ରାୟ ୧ଟାରେ ପୁଲିସ ତାକୁ ଉଠାଇ ଆଣିଥିଲା। ପୂର୍ବ ଶତ୍ରୁତା ଓ ଦୀପାବଳି ରାତିରେ ବାଣଫୁଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା।

୨୦ କେଜି ଗଞ୍ଜେଇ ସହ ଜଣେ ଗିରଫ
ଭୁବନେଶ୍ୱର : ଗତକାଲି ସହିଦନଗର ଥାନା ପୁଲିସ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ତା’ଠାରୁ ୨୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ହେଉଛି କେଶୁରାର ଲୋକନାଥ ସାହୁ। ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି ପୁଲିସ କହିଛି।

ଲକ୍ଷେ ଟଙ୍କା ଦାଦାବଟି ମାଗି ଯୁବକ ଗିରଫ
ଚନ୍ଦ୍ରଶେଖରପୁର : ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିବାସିନ୍ଦା ଓ ସ୍ଥାନୀୟ ପ୍ରଭାବଶାଳୀ ଲୋକଙ୍କଠାରୁ ଦାଦାବଟି ଆଦାୟ କରୁଥିବା ଜଣେ ଯୁବକକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ପ୍ରଭାତ ସେଠୀ ଓରଫ ଟୁବୁ(୩୮)। ସୂଚନା ଅନୁଯାୟୀ, ଟୁବୁ ଡମଣା ଶୈଳଶ୍ରୀବିହାର ଅଞ୍ଚଳରେ ରହୁଥିବା କିଛି ଲୋକଙ୍କୁ ଦାଦାବଟି ବାବଦକୁ ମୋଟାଅଙ୍କର ଟଙ୍କା ମାଗୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। କିଛି ଦିନ ତଳେ ସେ ମଙ୍ଗଳା ବସ୍ତିର ରବୀନ୍ଦ୍ର ପ୍ରଧାନଙ୍କୁ ୧ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା। ଟଙ୍କା ନ ଦେବାରୁ ସେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା। ଏନେଇ ସମ୍ପୃକ୍ତ ଯୁବକ ଗତ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର