ପୁଲିସକୁ ଆକ୍ରମଣ କରି ଜଣେ ଗିରଫ

ଖଣ୍ଡଗିରି : ରବିବାର ରାତିରେ ଡ୍ୟୁଟିରେ ଥିବା ପିସିଆର୍ ପୁଲିସକୁ ଆକ୍ରମଣ କରିଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଶିରିପୁରସ୍ଥିତ ଏକ ଦଳିତ ସାହିର ଜାଲି ପ୍ରଧାନ। ସୂଚନାନୁସାରେ ରବିବାର ରାତି‌ରେ ସ୍ଥାନୀୟ ମହିଳା କଲେଜ ଛକରେ ଜାଲି ଓ ତା’ର ଅନ୍ୟ ଦୁଇ ସହଯୋଗୀ ମିଳିତଭାବେ ନୂଆପଲ୍ଲୀ ଅଞ୍ଚଳର ସଂଜୟ ଜେନା ନାମକ ବ୍ୟକ୍ତିକୁ ମାଡ଼ ମାରୁଥିଲେ। ଖବର ପାଇ ପିସିଆର୍ କର୍ମଚାରୀମାନେ ଆକ୍ରମଣର ଶିକାର ସଂଜୟକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ପୁଲିସକୁ ଦେଖି ଜାଲିର ସହଯୋଗୀଦ୍ବୟ ଘଟଣାସ୍ଥଳରୁ ‌ଦୌଡ଼ି ପଳାଇଥିଲେ। ମାତ୍ର ଜାଲି ପାଲଟା ପୁଲିସକୁ ଗାଳିମନ୍ଦ କରିଥିଲା। ପାଟି ଶୁଣି ତା’ ସ୍ତ୍ରୀ ଓ ଝିଅ ଘଟଣାସ୍ଥଳକୁ ଧାଇଁ ଆସି ମିଳିତଭାବେ ପୁଲିସ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ। ପାଖରେ ମହିଳା ପୁଲିସ ନଥିବାରୁ ନିରୁପାୟ ହୋଇ ଆହତ ସଂଜୟକୁ ଧରି ପୁଲିସ ସେଠାରୁ ଫେରି ଆସିଥିଲା ଓ ପରେ ତାକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର