ବ୍ୟାଙ୍କରୁ କୋଟିଏରୁ ଅଧିକ ଟଙ୍କା ଠକେଇ : ଜଣେ ଗିରଫ

ଭୁବନେଶ୍ବର : ଜାଲିଆତି କରି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଶାସ୍ତ୍ରୀନଗର ଶାଖାରୁ କୋଟିଏରୁ ଊର୍ଧ୍ବ ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧଶାଖା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳର ବଦ୍ରିନାରାୟଣ ମିଶ୍ର ଓରଫ ଟୁବୁରୁ। ଏଠାରେ ମଧୁସୂଦନ ନଗରରେ ରହୁଥିଲେ। ଗିରଫ ପରେ ତାଙ୍କୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

ସୂଚନା ମୁତାବକ, ଗତ ୨୦୧୨ ମସିହାରେ ବଦ୍ରିନାଥ ଏକ ବିଦେଶୀ ମଦଦୋକାନ ପାଇଁ କାଗଜପତ୍ରରେ ଜାଲିଆତି କରି ଶାସ୍ତ୍ରୀନଗର ଏସ୍‌ବିଆଇ ବ୍ୟାଙ୍କରୁ ଏକ କୋଟି ୩୫ଲକ୍ଷ ଟଙ୍କା ଋଣ ନେଇଥିଲେ। ଜଗନ୍ନାଥ ପ୍ରସାଦ ମୌଜାରେ ଥିବା ଏକ ୨.୪୬୦ଏକର ବିଶିଷ୍ଟ ଏକ ଜମି ବନ୍ଧକ ରଖିଥିଲେ। ସେହି ଜମି ଉପରେ ମାମଲା ଚାଲିଥିବା ଜାଣି ମଧ୍ୟ ବ୍ୟାଙ୍କରେ ବନ୍ଧକ ଦେଇଥିଲେ। ଋଣ ବାବଦକୁ ଟଙ୍କା ପରିଶୋଧ ନକରିବା ପରେ ଘଟଣା ପଦାକୁ ଆସିଥିଲା। କିଛି ବର୍ଷ ତଳେ ବଦ୍ରିନାରାୟଣ ରାଜସ୍ବବିଭାଗ ଅଧିକାରୀଙ୍କ ବିନା ଅନୁମତିରେ ଅମରେଶ୍ବର ଦାସ ନାମକ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କଠାରୁ ଜମି କିଣିଥିଲେ। ଆଉ ୨୦୦୮ ମସିହାରେ ଚଞ୍ଚକତା କରି ଜମିକୁ ନିଜ ନାମରେ କରି ନେଇଥିଲେ। ଜମି ଉପରେ ତାଙ୍କର କୌଣସି ଅଧିକାର ନଥିବା ଜାଣି ମଧ୍ୟ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଟଙ୍କା ନେଇଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର୍‌ ଅଜୟ କୁମାର ମୁନି ଗତ ୩୧ ତାରିଖରେ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ କେସ୍‌ ନଂ-୨୨ରେ ଆଇପିସି ଦଫା ୪୨୦,୪୦୬,୪୬୭,୪୬୮,୪୭୧ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର