ଚାକିରି ଲୋଭ ଦେଖାଇ ବାଇକ୍‌ ଓ ଟଙ୍କା ଲୁଟ୍‌, ସାଙ୍ଗ ଗିରଫ

ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ, ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

ଖଣ୍ଡଗିରି : ପ୍ରଥମେ ବନ୍ଧୁତା ସ୍ଥାପନ କରି ପରେ ଚାକିରିର ଲୋଭ ଦେଖାଇ ବାଇକ୍‌ ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲା ବଡଗଡ଼ ଥାନା ଅଞ୍ଚଳରେ ରହୁଥିବା କଟକ ଜିଲ୍ଲା ଆଠଗଡ଼ ଥାନା କରକାମାଳ ଅଞ୍ଚଳର ଦୀନଦୟାଲ୍ ଦାସ(୨୦)। ଲୁଟ୍‌ର ଶିକାର ଯୁବକ ହେଲେ ଖଣ୍ଡଗିରିରେ ରହୁଥିବା ପୁରୀ କଣାସ ଥାନା ମନ୍ଦାରବସ୍ତ ଡିହପୁରର ସୋମନାଥ ମହାରଣା। ଅଭିଯୁକ୍ତ ଦୀନଦୟାଲ୍‌ ଓ ସୋମନାଥ ମଧ୍ୟରେ ପୂର୍ବରୁ ପରିଚିତି ଥିଲା। ନିଜେ ଏକ ଘରୋଇ କମ୍ପାନିରେ ଚାକିରି କରିଥିବାରୁ ସୋମନାଥଙ୍କୁ ଉକ୍ତ କମ୍ପାନିରେ ଭର୍ତ୍ତି କରିଦେବ ବୋଲି ଦୀନଦୟାଲ୍‌ କହିଥିଲା। ଗତ ୧୫ ତାରିଖରେ ସେ ସୋମନାଥଠାରୁ ଚାକିରି ବାବଦରେ ୧୦ ହଜାର ଟଙ୍କା ନେବା ସହ ବାଇକ୍‌ ମାଗି ନେଇଥିଲା। କିନ୍ତୁ ପରେ ତା’ ଫୋନ୍‌ ସୁଇଚ୍ ଅଫ୍ ହୋଇ ଯାଇଥିଲା। ଠକାମିର ଶିକାର ହୋଇଗଲେ ବୋଲି ଜାଣିବା ପରେ ସୋମନାଥ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ମାତ୍ର ସେହିଦିନଠାରୁ ବନ୍ଦ ରହିଥିବା ତା’ ମୋବାଇଲ୍‌ ଫୋନ୍‌ ବଡଗଡ଼ ଥାନା ଅଞ୍ଚଳରେ ରହିଥିବା ସୁରାକ୍‌ ପାଇ ପୁଲିସ ତାକୁ ଗିରଫ କରିଥିଲା।

ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ନାବାଳିକା ଅପହରଣ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଶିଖରପୁର ଅଞ୍ଚଳର ବୁ‌ନେସ୍‌ ନାୟକ ଓରଫ ବୁନା। ତ‌ାକୁ ଗିରଫ କରିବା ସହିତ ତା ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଉଭୟଙ୍କୁ ଆଜି ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଗତ ୨୪ ତାରିଖରେ ଜଣେ ନାବାଳିକାକୁ ବୁନା ଅପହରଣ କରିନେଇଥିଲା। ଏନେଇ ନାବାଳିକାର ପରିବାରବର୍ଗ ଥାନାରେ ଅଭିଯୋଗ କରିଥିଲେ।

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ
ବାଲିପାଟଣା : ବାଲିପାଟଣା ଥାନା ଅଞ୍ଚଳର ଜଣେ ୯ ବର୍ଷର ବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସେହି ଅଞ୍ଚଳର ବଂଶୀଧର ଭୋଇଙ୍କ ପୁଅ ଦୀନବନ୍ଧୁ (୩୦)କୁ ପୁଲିସ ଗିରଫ କରିଛି। ବାଲିପାଟଣା ଥାନାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମଧ୍ୟାହ୍ନରେ ନାବାଳିକାଜଣକ ଖେଳୁଥିବା ବେଳେ ଯୁବକଜଣକ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକାର ଚିତ୍କାର ଶୁଣି ଖେଳୁଥିବା ଅନ୍ୟ ପିଲାମାନେ ଡାକ ପକାଇଥିଲେ। ଘଟଣାସ୍ଥଳରେ ନାବାଳିକାଙ୍କ ପରିବାରଲୋକ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ବାଲିପାଟଣା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଆଜି ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର